ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ୍ ଓ ମହିଳା ବିଶ୍ୱକପ୍ ପରେ ଆଉ ଏକ ପ୍ରତିଯୋଗିତାରେ ପାକିସ୍ତାନ ଖେଳାଳିଙ୍କ ସହ କରମର୍ଦ୍ଦନ କଲେ ନାହିଁ ଭାରତୀୟ ଖେଳାଳି । ତୃତୀୟ ଏସିଆନ ଗେମ୍ସର ଯୁବ ଭାରତୀୟ କବାଡି ଦଳ ପାକିସ୍ତାନକୁ ୮୧-୨୬ରେ ଶୋଚନୀୟ ଭାବେ ହରାଇଛନ୍ତି । ତେବେ ମ୍ୟାଚ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ଭାରତୀୟ ଅଧିନାୟକ ଇଶାନ୍ତ ରାଠି ପାକିସ୍ତାନର ଅଧିନାୟକଙ୍କ ସହ ହାତ ମିଳାଇବାକୁ ମନା କରି ଦେଇଥିଲେ । ପାକିସ୍ତାନୀ ଅଧିନାୟକ ହାତ ବଢାଇଲେ ହେଲେ ରାଠି ମନା କରି ଦେଇଥିଲେ ।
ଏସିଆନ ୟୁଥ ଗେମ୍ସରେ ଭାରତୀୟ କବାଡ ଟିମର ଦବଦବା ଜାରି ରହିଛି । ପାକିସ୍ତାନକୁ ହରାଇବା ପୂର୍ବରୁ ଭାରତ ବାଂଲାଦେଶକୁ ୮୩-୧୯ ଓ ଶ୍ରୀଲଙ୍କାକୁ ୮୯-୧୬ରେ ଶୋଚନୀୟ ଭାବେ ମାତ୍ ଦେଇଥିଲା । ଆଉ ପାକିସ୍ତାନକୁ ହରାଇ ଭାରତ ନିଜର ବିଜୟ ଯାତ୍ରା ଅବ୍ୟାହତ ରଖିଛି ।
ପହଲଗାମ ଆତଙ୍କୀ ହମଲା ଓ ଏହାର ଜବାବରେ ଭାରତର ଅପରେସନ ସିନ୍ଦୂର ପରଠୁ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତତା ରହିଛି । ଏହାର ପ୍ରଭାବ କ୍ରୀଡାରେ ମଧ୍ୟ ଦେଖିବାକୁ ମିଳିଛି । ଏସିଆ କପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ସମୟରେ ପାକିସ୍ତାନୀ ଅଧିନାୟକ ସହ ହାତ ମିଳାଇ ନ ଥିଲେ । ମ୍ୟାଚ୍ ପରେ ବି ଦୁଇ ଦଳର ଖେଳାଳି ପରସ୍ପର ସହ କରମର୍ଦ୍ଦନ କରି ନ ଥିଲେ । ଆଉ ଏବେ ଯୁବ କବାଡି ଦଳ ମଧ୍ୟ ହାତ ମିଳାଇ ନାହାନ୍ତି ।