ନୂଆଦିଲ୍ଲୀ: ଏସିଆ କପରେ ବିଜେତା ହେବା ସତ୍ତ୍ୱେ ଭାରତୀୟ କ୍ରିକେଟ୍ ଟିମ୍ ଟ୍ରଫି ପାଇବାରୁ ବଞ୍ଚିତ ହୋଇଛି । ଏ ଯାଏ ଟିମ୍ ହାତକୁ ଟ୍ରଫି ଆସିନାହିଁ । ଯଥାଶୀଘ୍ର ଟ୍ରଫି ବିଜେତା ଦଳକୁ ଦେବାକୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏସିସି ଅଧ୍ୟକ୍ଷ ମୋହସିନ ନକବୀଙ୍କୁ ଏକ ଆନୁଷ୍ଠାନିକ ଇମେଲ୍ ପଠାଇଛି ।
ବିସିସିଆଇ ସଚିବ ଦେବଜୀତ ସୈକିୟା କହିଛନ୍ତି ଯେ ଟ୍ରଫି ବିଜେତା ଟିମକୁ ଦେବାକୁ ଏସିସିକୁ ଚିଠି ଲେଖାଯାଇଛି । ତାଙ୍କ ଜବାବକୁ ଅପେକ୍ଷା କରାଯାଇଛି । ଯଦି କୌଣସି ଉତ୍ତର ନ ମିଳେ କିମ୍ବା କୌଣସି ନକରାତ୍ମକ ପ୍ରତିକ୍ରିୟା ଆସେ, ତେବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦକୁ ବା ଆଇସିସିକୁ ଚିଠି ଲେଖାଯିବ । ଧିରେ ଧିରେ ଗୋଟିଏ ପରେ ଗୋଟିଏ ସୋପାନ ଦେଇ ଯାଉଛୁ ବୋଲି କହିଛନ୍ତି ବିସିସିଆଇ ସଚିବ ।
ସେପ୍ଟେମ୍ବର ୨୮ରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କଫ୍ ଅନ୍ତିମ ମୁକାବିଲାରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା । ଭାରତ ପ୍ରଥମରୁ ହିଁ ସ୍ପଷ୍ଟ କରିଥିଲା ଯଦି ଟିମ୍ ବିଜୟୀ ହୁଏ ତେବେ ସେ କୌଣସି ପାକିସ୍ତାନୀ ଅଧିକାରୀଙ୍କଠାରୁ ଟ୍ରଫି ଗ୍ରହଣ କରିବ ନାହିଁ । ଏହା ପରେ ବି ମୋହସିନ ନକବୀ ଟ୍ରଫି ଦେବାକୁ ଜିଦ୍ ଧରି ବସିଥିଲେ । ଭାରତୀୟ ଖେଳାଳିମାନେ ମଧ୍ୟ ଟ୍ରଫି ଗ୍ରହଣ କରିବାକୁ ଯାଇନଥିଲେ । ଶେଷରେ ନକବୀ ନିଜେ ଟ୍ରଫି ନେଇ ଚାଲିଯାଇଥିଲେ ଏବଂ ଭାରତୀୟ ଦଳ ବିନା ଟ୍ରଫିରେ ବିଜୟ ଉତ୍ସବ ପାଳିଥିଲା ।