ପର୍ଥ: ବର୍ଷା ବାଧାପ୍ରାପ୍ତ ପର୍ଥରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୩୬ ରନ କରିଛି । ବର୍ଷା କାରଣରୁ ମ୍ୟାଚ୍ ୨୬ ଓଭରକୁ କମାଇ ଦିଆଯାଇଛି । ଫଳରେ ଭାରତକୁ ବଡ ସ୍କୋର କରିବାର ସୁଯୋଗ ମିଳି ପାରିନି । ଆଉ ବର୍ଷା ହେବାର ଫାଇଦା ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆକୁ ମିଳିଛି । ଭାରତ ୯ ୱିକେଟ୍ ହରାଇ ୧୩୬ ରନ କରିଛି । କେଏଲ ରାହୁଲ ୩୮ ରନ ଓ ଅକ୍ଷର ପଟେଲ ୩୧ ରନ କରିଥିଲେ । ଘରୋଇ ଅଷ୍ଟ୍ରେଲିଆକୁ ସଂଶୋଧିତ ୧୩୧ ରନ ବିଜୟ ଲକ୍ଷ୍ୟ ମିଳିବ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନିରାଶଜନକ ଥିଲା । ଦୀର୍ଘ ସମୟ ପରେ ମଇଦାନକୁ ଫେରିଥିବା ଦୁଇ ଷ୍ଟାର ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି ନିଜର ଖ୍ୟାତି ଅନୁସାରେ ବ୍ୟାଟିଂ କରି ପାରି ନାହାନ୍ତି । ରୋହିତ ୮ ରନ କରିଥିବା ବେଳେ କୋହଲି ଖାତା ଖୋଲି ପାରି ନାହାନ୍ତି । ଅଧିନାୟକ ଗିଲ୍ ୧୦ ରନ କରି ଆଉଟ୍ ହୋଇଥିଲେ । ୨୫ ରନରେ ୩ ୱିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିଲା ଭାରତ । ଏହା ପରେ ବର୍ଷା କାରଣରୁ ବାରମ୍ବାର ମ୍ୟାଚ୍ ସ୍ଥଗିତ ରହିଥିଲା ଏବଂ ଓଭର କଟି ଚାଲିଥିଲା । ଶେଷରେ ଭାରତକୁ ୨୬ ଓଭର ଖେଳିବାର ସୁଯୋଗ ମିଳିଥିଲା ।
ଶ୍ରେୟସ ଆୟର ୧୧ ରନ କରି ନିରାଶ କରିଥିଲେ । ଅକ୍ଷର ପଟେଲ୍ ଓ କେଏଲ ରାହୁଲ ପ୍ରତିକୂଳ ପରିସ୍ଥିତିରେ ଦମଦାର ବ୍ୟାଟିଂ କରିଥିଲେ । ଅକ୍ଷର ୩୧ ରନ କରି ପାଭିଲିୟନ ଫେରିଥିଲେ । ଶେଷ ଆଡକୁ କେଏଲ ରାହୁଲ ଦ୍ରୁତ ବ୍ୟାଟିଂ କରି ୩୮ ରନ କରିଥିଲେ । ୱାଶିଂଟନ ସୁନ୍ଦର ୧୦ ରନ କରିଥିଲେ । ନୀତିଶ କୁମାର ରେଡ୍ଡୀ ୧୧ ବଲରୁ ୨ ଛକା ସହ ୧୯ ରନ କରିବାରୁ ଭାରତ ୧୩୬ ରନର ଲଢୁଆ ସ୍କୋର କରି ପାରିଛି । ଏବେ ଅଷ୍ଟ୍ରେଲିଆକୁ ନିୟମ ଅନୁସାରେ ସଂଶୋଧିତ ୧୩୧ ରନର ବିଜୟ ଲକ୍ଷ୍ୟ ମିଳିଛି । ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହେଜେଲଉଡ, ମିଚେଲ୍ ଓୱେନ ଓ ମାଥ୍ୟୁ କୁହେନମନ ପ୍ରତ୍ୟେକ ଦୁଇଟି ଲେଖାଏଁ ସଫଳତା ମିଳିଛି ।