ପର୍ଥ: ଭାରତୀୟ କ୍ରିକେଟ୍ ଦଳ ପାଇଁ ରବିବାର ଏକ ନୂତନ ଯୁଗ ଆରମ୍ଭ ହେବ। ଟିମ୍ ଇଣ୍ଡିଆ ରବିବାରଠାରୁ ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଖେଳିବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍ ରବିବାର ପର୍ଥରେ ଖେଳାଯିବ। ଟସ୍ ଭାରତୀୟ ସମୟ ଅନୁସାରେ ସକାଳ ୮:୩୦ ରେ ପଡ଼ିବ ଏବଂ ମ୍ୟାଚ୍ ସକାଳ ୯ ଟାରେ ଆରମ୍ଭ ହେବ। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ଅଭିଜ୍ଞ ଖେଳାଳି ୨୬ ବର୍ଷୀୟ ଶୁଭମନ ଗିଲଙ୍କ ନେତୃତ୍ୱରେ ଖେଳିବେ। ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ମିଚେଲ ମାର୍ଶ ଦଳର ନେତୃତ୍ୱ ନେବେ।
ପର୍ଥ ଷ୍ଟାଡିୟମ୍ ପିଚ୍ ରିପୋର୍ଟ
ଶନିବାର ପର୍ଥରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି। ପର୍ଥ ସର୍ବଦା ଦ୍ରୁତ ବୋଲରଙ୍କୁ ପସନ୍ଦ କରୁଥିବା ବେଳେ ପାଗ ଦ୍ରୁତ ବୋଲରଙ୍କୁ ଆହୁରି ସୁହାଇପାରେ। ଆକାଶ ମେଘୁଆ ରହିବା ସହିତ ଦ୍ରୁତ ବୋଲରମାନଙ୍କୁ ବାଉନ୍ସ ଏବଂ ସ୍ୱିଙ୍ଗ୍ ମିଳିବାର ସମ୍ଭାବନା ରହିଛି।
ମ୍ୟାଚ୍ ପୂର୍ବାନୁମାନ
ଏହି ମ୍ୟାଚରେ ଦୁଇ ଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିପାରେ। ତଥାପି, ଟିମ୍ ଇଣ୍ଡିଆର ସାମାନ୍ୟ ପଲ୍ଲା ଭାରି ରହିଛି। ଅଷ୍ଟ୍ରେଲିଆ ପାଖରେ ଘରୋଇ ପରିବେଶର ଫାଇଦା ରହିଛି। କିନ୍ତୁ ଦଳରେ ଅନେକ ତାରକା ଖେଳାଳି ଅନୁପସ୍ଥିତିର ଫାଇଦା ଭାରତକୁ ମିଳିପାରେ। ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ଜୋଶ୍ ଇଙ୍ଗଲିସ୍ ଏବଂ ଆଲେକ୍ସ କ୍ୟାରିଙ୍କ ଅନୁପସ୍ଥିତି ଯୋଗୁଁ ମଧ୍ୟମ କ୍ରମ ବହୁତ ଦୁର୍ବଳ ଦେଖାଯାଉଛି। ବୋଲିଂରେ ପ୍ୟାଟ୍ କମିନ୍ସ ଏବଂ ଆଡାମ ଜାମ୍ପାଙ୍କ ପରି ବୋଲର ନାହାନ୍ତି।
ଅଷ୍ଟ୍ରେଲିଆର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ: ଟ୍ରାଭିସ୍ ହେଡ୍, ମିଚେଲ୍ ମାର୍ଶ (ଅଧିନାୟକ), ମାର୍ନସ୍ ଲାବୁସେନ, ମ୍ୟାଟ୍ ରେନସ, ଜୋଶ୍ ଫିଲିପ୍ (ଓ୍ଵିକେଟକିପର), ମିଚେଲ୍ ଓୱେନ୍, କୁପର କନୋଲି, ବେନ୍ ଦ୍ୱାରଶୁଇସ୍, ମିଚେଲ୍ ଷ୍ଟାର୍କ, ନାଥନ୍ ଏଲିସ୍ ଏବଂ ଜୋଶ୍ ହାଜେଲଉଡ୍।
ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ: ରୋହିତ ଶର୍ମା, ଶୁଭମାନ ଗିଲ୍ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ଉଇକେଟକିପର), ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ଏବଂ ପ୍ରସିଦ୍ଧ କୃଷ୍ଣ।
Also read: ମୁଁ କେଉଁ ଆଡେ ଯାଉ ନାହିଁ, ଖେଳିବାକୁ ଚାହୁଁଛି ୨୦୨୭ ବିଶ୍ୱକପ୍- ରୋହିତ ଶର୍ମା