ନୂଆଦିଲ୍ଲୀ: ରୋହିତ ଶର୍ମା ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବା ନେଇ ନିଜର ରାୟ ଦେଇଛନ୍ତି । ସେ କହିଛନ୍ତି, ମୁଁ ୨୦୨୭ ବିଶ୍ୱକପ୍ ଖେଳିବାକୁ ଚାହୁଁଛି । ରୋହିତ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ରୋହିତ ଶର୍ମାଙ୍କ ସହ ବିରାଟ କୋହଲିଙ୍କ ମଧ୍ୟ ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଏବେ ହିଟମ୍ୟାନ ଖୋଦ୍ ବିଶ୍ୱକପ୍ ଖେଳିବାକୁ ଚାହୁଁଥିବା ନିଜର ଇଚ୍ଛା ପ୍ରକାଶ କରିଛନ୍ତି ।
ରୋହିତ ଶର୍ମା ମେ ୱିସ ଚାଇଲ୍ଡ ସଂସ୍ଥା ସହ ଜଡିତ ଜଣେ ଛୋଟ ପିଲାଙ୍କୁ ଭେଟିଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଛୋଟ ପିଲାଟି ରୋହିତଙ୍କୁ ପ୍ରଶ୍ନ କରୁଛି ଯେ, ପରବର୍ତ୍ତୀ ବିଶ୍ୱକପ୍ କେବେ ? ୨୦୨୭ କହି ଉତ୍ତର ରଖିଥିଲେ ରୋହିତ । ପିଲାଟି ପୁଣି ଦ୍ୱିତୀୟ ପ୍ରଶ୍ନ କରିଥିଲା, କଣ ଆପଣ ୨୦୨୭ ବିଶ୍ୱକପ୍ ଖେଳିବେ । ଏହି ପ୍ରଶ୍ନ ଉପରେ ରୋହିତ ଯେଉଁ ଉତ୍ତର ଦେଇଛନ୍ତି ତାହା ଶୁଣି ପ୍ରଶଂସକ ଖୁସି ହୋଇଯିବେ ।
ରୋହିତ କହିଛନ୍ତି ହଁ ମୁଁ ବିଶ୍ୱକପ୍ ଖେଳିବାକୁ ଚାହୁଁଛି । ଛୋଟ ପିଲାଟିର ପ୍ରଶ୍ନର ଉତ୍ତର ଦେଇ ରୋହିତ କହିଛନ୍ତି, ଦିନିକିଆ ବିଶ୍ୱକପ୍ ଜିତିବା ମୋର ବହୁତ ବଡ ସ୍ୱପ୍ନ । ଉଲ୍ଲେଖନୀୟ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୨୪ ଟି-୨୦ ବିଶ୍ୱକପ୍ ଏବଂ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ୨୦୨୩ ବିଶ୍ୱକପରେ ଭାରତ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଥିଲା । ହେଲେ ଅଷ୍ଟ୍ରେଲିଆ ହାତରୁ ଦଳ ପରାଜିତ ହୋଇଥିଲା ।
ରୋହିତ ଶର୍ମା ଏ ପର୍ଯ୍ୟନ୍ତ ତିନୋଟି ଦିନିକିଆ ବିଶ୍ୱକପ ଖେଳିଛନ୍ତି । ଦିନିକିଆ ବିଶ୍ୱକପରେ ସେ ୨୮ ମ୍ୟାଚରେ ୬୦.୫୭ର ଦମଦାର ହାରରେ ୧୫୭୫ରନ କରିଛନ୍ତି । ଏଥିରେ ୭ ଶତକ ଓ ୬ ଅର୍ଦ୍ଧଶତକ ସାମିଲ୍ । ରୋହିତ ୨୦୧୫, ୨୦୧୯ ଏବଂ ୨୦୨୩ ବିଶ୍ୱକପ୍ ଖେଳିଛନ୍ତି ।
Also read: ପାକିସ୍ତାନର ଆକ୍ରମଣରେ ୩କ୍ରିକେଟର ମୃତ, ଟି-୨୦ ଶୃଙ୍ଖଳା ଖେଳିବାକୁ ମନା କଲା ଆଫଗାନିସ୍ତାନ