ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଅକ୍ଟୋବର ୧୯ ତାରିଖରେ ପର୍ଥରେ ଖେଳାଯିବ। ଶୁଭମନ ଗିଲ୍ ପ୍ରଥମ ଥର ପାଇଁ ଭାରତର ଦିନିକିଆ ଦଳର ନେତୃତ୍ଵ ନେବେ। ସମସ୍ତଙ୍କ ନଜର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ରହିଛି। ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ୍ ପଠାନ୍ ପ୍ରଥମ ଦିନିକିଆ ପାଇଁ ଭାରତୀୟ ପ୍ଲେଇଂ ଇଲେଭେନ୍ ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ସେ ନିଜର ଚୂଡ଼ାନ୍ତ ଏକାଦଶରେ ହର୍ଷିତ ରାଣାଙ୍କୁ ମଧ୍ୟ ସାମିଲ କରିଛନ୍ତି।
ଇରଫାନ୍ ପଠାନ୍ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ବିଶ୍ଳେଷଣ ସମୟରେ, ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ଙ୍କୁ ଓପନର୍ ଭାବରେ ଚୟନ କରିଛନ୍ତି। ସେ ତୃତୀୟ ନମ୍ବରରେ ବିରାଟ କୋହଲିଙ୍କୁ ରଖିଛନ୍ତି। କୋହଲି ଦିନିକିଆ ଇତିହାସରେ ସର୍ବାଧିକ ରନ୍ ସ୍କୋରର୍ ଭାବରେ କୁମାର ସାଙ୍ଗାକାରା (୧୪୨୩୪ ରନ୍)ଙ୍କୁ ପଛରେ ପକାଇବା ପାଇଁ ମାତ୍ର ୫୪ ରନ୍ ଦୂରରେ ଅଛନ୍ତି। ଇରଫାନ୍ ପଠାନ୍ ଚତୁର୍ଥ ନମ୍ବରରେ ଉପ-ଅଧିନାୟକ ଶ୍ରେୟସ ଆୟରଙ୍କୁ ଏବଂ ପଞ୍ଚମ ନମ୍ବରରେ କେଏଲ ରାହୁଲଙ୍କୁ ୱିକେଟ କିପିଂ ଭାବେ ଚୟନ କରିଛନ୍ତି।
ଦ୍ରୁତ ବୋଲିଂ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡି ଷଷ୍ଠ ବ୍ୟାଟର ହୋଇ ପାରନ୍ତି। ଯଦି ନୀତିଶଙ୍କୁ ପ୍ଲେଇଂ ଇଲେଭେନ୍ ରେ ସୁଯୋଗ ମିଳେ, ତେବେ ସେ ତାଙ୍କର ଦିନିକିଆ ଡେବ୍ୟୁ କରିବେ। ଅନ୍ୟପକ୍ଷରେ, ଅକ୍ଷର ପଟେଲଙ୍କୁ ସ୍ପିନ୍ ବୋଲିଂ ଅଲରାଉଣ୍ଡର ଭାବେ ଚୂଡ଼ାନ୍ତ ଏକାଦଶରେ ରଖିଛନ୍ତି ଇରଫାନ ପଠାନ। ଦ୍ରୁତ ଏବଂ ବାଉନ୍ସି ଅଷ୍ଟ୍ରେଲିୟ ପିଚକୁ ଦୃଷ୍ଟିରେ ରକି ଇରଫାନ ପଠାନ ତିନି ଜଣ ମୁଖ୍ୟ ଦ୍ରୁତ ବୋଲରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛନ୍ତି। ସେ ଅର୍ଶଦୀପ ସିଂହ ଏବଂ ମହମ୍ମଦ ସିରାଜଙ୍କ ଭରସା କରିଥିବା ବେଳେ କୁଲଦୀପ ଯାଦବଙ୍କୁ ମୁଖ୍ୟ ସ୍ପିନର ଭାବରେ ବାଛିଛନ୍ତି। କୁଲଦୀପ ଏସିଆ କପରେ ସର୍ବାଧିକ ୧୭ ୱିକେଟ୍ ସହିତ ସର୍ବାଧିକ ୱିକେଟ୍ହାସଲକାରୀ ବୋଲର ଥିଲେ। ସେ ହର୍ଷିତ ରାଣାଙ୍କୁ ତୃତୀୟ ବୋଲର ଭାବରେ ବାଛିଛନ୍ତି।
ଇରଫାନ ପଠାନଙ୍କ ପ୍ଲେଇଂ ଇଲେଭେନ: ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ହର୍ଷିତ ରାଣା।
Also read: ରୋହିତ ଶର୍ମା ଏବଂ ବିରାଟ କୋହଲି କ’ଣ ୨୦୨୭ ବିଶ୍ୱକପ୍ ଖେଳିବେ? ଅଜିତ ଅଗରକର ଦେଲେ ଜବାବ