ନୂଆଦିଲ୍ଲୀ: ଭାରତକୁ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ପଥ ପରିଷ୍କାର ହୋଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା କାର୍ଯ୍ୟନିର୍ବାହୀ ବୋର୍ଡ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ପାଇଁ ଭାରତର ଅହମ୍ମଦାବାଦ ସହରର ନାଁ ସୁପାରିଶ କରିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରେସ୍ ବିବୃତି ଅନୁଯାୟୀ, ଏବେ ଅହମ୍ମଦାବାଦର ନାଁକୁ ପୂର୍ଣ୍ଣ ସଦସ୍ୟ ଦେଶ ସାମ୍ନାରେ ପ୍ରସ୍ତାବ ରଖାଯିବ। ଏହା ଉପରେ ଅନ୍ତିମ ନିର୍ଣ୍ଣୟ ଆସନ୍ତା ନଭେମ୍ବର ୨୬ରେ ଗ୍ଲାସଗୋରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ସାଧାରଣ ସଭାରେ ନିଆଯିବ।
ଏହା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୪ତମ ସଂସ୍କରଣ ହେବ, ଯାହା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦୦ତମ ବର୍ଷ ମଧ୍ୟ ହେବ। ପ୍ରଥମ ଆୟୋଜନ ୧୯୩୦ରେ କାନାଡ଼ାର ଅଣ୍ଟୋରିଆରେ ହୋଇଥିଲା। ଯଦି ନଭେମ୍ବରରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସାଧାରଣ ସଭାରେ ଅହମ୍ମଦାବାଦକୁ ମଞ୍ଜୁରୀ ମିଳେ, ତେବେ ୨୦୧୦ରେ ନୂଆଦିଲ୍ଲୀ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାରେ ଏହା ଭାରତର ଦ୍ଵିତୀୟ ସହର ହୋଇଯିବ। ନାଇଜେରିଆ ମଧ୍ୟ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ପାଇଁ ଆବେଦନ କରିଛି।
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମୂଲ୍ୟାଙ୍କନ କମିଟି ଆଶାୟୀ ସହର ଗୁଡ଼ିକର ସମୀକ୍ଷା କରିଛନ୍ତି। ଏଥିରେ ବୈଷେୟିକ ପ୍ରସ୍ତୁତି, ଖେଳାଳିଙ୍କ ସୁବିଧା, ଆନୁସଙ୍ଗିକ ଢାଞ୍ଚା, ପ୍ରଶାସନିକ ବ୍ୟବସ୍ଥା ଆଦି ସାମିଲ୍। ବୋର୍ଡ କହିଛି, ଅହମ୍ମଦାବାଦ ଓ ନାଇଜେରିଆର ଅବୁଜା ସହର ଦମଦାର ଓ ମହତ୍ଵାକାଂକ୍ଷୀ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।
୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୭୨ ଦେଶର ଖେଳାଳି ଅଂଶଗ୍ରହଣ କରିବେ। ଏହି ଆୟୋଜନ ବ୍ୟାପକ ମାତ୍ରାରେ ରୋଜଗାର ସୃଷ୍ଟି କରିବା ସହ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇଥାଏ। କ୍ରୀଡ଼ା ଓ ଇଭେଣ୍ଟ ମ୍ୟାନେଜମେଣ୍ଟପରି ଅନେକ କ୍ଷେତ୍ରରେ ନୂଆ ଅବସର ସୃଷ୍ଟି କରିଥାଏ।
ଭାରତ ଏକ ସମ୍ବନିତ କ୍ରୀଡ଼ା ଆୟୋଜନର ଯୋଜନା ପ୍ରସ୍ତୁତ କରୁଛି। ଏଥିରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ହଟାଯାଇଥିବା ଲୋକପ୍ରିୟ ଖେଳ ଯଥା ହକି, କ୍ରିକେଟ୍, ବ୍ୟାଡମିଣ୍ଟନ, କୁସ୍ତି, ଟେବୁଲ ଟେନିସ, ରଗବି ସେଭନ୍ସ, ବିଚ୍ ଭଲିବଲ ଓ ଜିମ୍ନାଷ୍ଟିକ ଆଦି ସାମିଲ।
Also read: ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ ମିଳାଇଲେ ହାତ ! ଘଟଣା କଣ ?