ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍କୁ ଭାରତ ଦ୍ୱିତୀୟ ଟେଷ୍ଟରେ ୭ୱିକେଟ୍ରେ ପରାସ୍ତ କରିଛି। ପଞ୍ଚମ ଦିନରେ ଆବଶ୍ୟକ ଥିବା ୫୮ ରନ୍କୁ ଭାରତ ସହଜରେ ପ୍ରଥମ ଅଧିବେଶନରେ ହାସଲ କରିବା ସହିତ ମ୍ୟାଚ୍ ଜିତିଛି। ଏଥି ସହିତ ଭାରତ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୨-୦ରେ ମୂଳପୋଛ କରିଛି। ଶୁଭମନ ଗିଲଙ୍କ ନେତୃତ୍ବରେ ଭାରତ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିଛି।
ଭାରତ ଗତକାଲି ଗୋଟିଏ ୱିକେଟ୍ ହରାଇ ୬୩ ରନ୍ ସଂଗ୍ରହ କରିଥିଲା। ଯଶସ୍ବୀ ଜୟସ୍ବାଲ ୮ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ୭ଟି ବଲ୍ ଖେଳି ୨ଟି ଚୌକା ମାରିଥିଲେ। ଦ୍ବିତୀୟ ପାଳିରେ ସର୍ବାଧିକ ସ୍କୋର କରିଥିବା କେଏଲ୍ ରାହୁଲ ୫୮ ରନ୍ ସଂଗ୍ରହ କରି ଅପରାଜିତ ପାଭିଲିଅନ ଫେରିଛନ୍ତି। ସେ ୬ଟି ଚୌକା ଓ ୨ଟି ଛକା ସହିତ ୫୮ ରନ୍ ସଂଗ୍ରହ କରିଛନ୍ତି। ଯୁବ ବ୍ୟାଟର ସାଇ ସୁଦର୍ଶନ ୩୯ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୫ଟି ଚୌକା ସାମିଲ କରିଥିଲେ। ଅଧିନାୟକ ଶୁଭମନ ଗିଲ୍ ୧୫ଟି ବଲ୍ ଖେଳି ୧୩ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ସେ ଗେଟିଏ ଚୌକା ଓ ଗୋଟିଏ ଛକା ମାରିଥିଲେ। ଧ୍ରୁବ ଜୁରେଲଙ୍କ ବ୍ୟାଟ୍ରୁ ୬ ରନ୍ ଅମଳ ହୋଇଥିଲା। ଏଥିରେ ସେ ଗୋଟିଏ ଚୌକା ମାରିଥିଲେ।
ଏହି ମ୍ୟାଚ୍ର ପ୍ରଥମ ଇନିଂସ୍ରେ ଭାରତୀୟ ଦଳ ୫୧୮ ରନ୍ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍ରେ ୨୪୮ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହାପରେ ଟିମ୍ ଇଣ୍ଡିଆ ଫଲୋଅନ୍ ଲାଗୁ କରିଥିଲା ଏବଂ ୱେଷ୍ଟଇଣ୍ଡିଜ୍ ପୁଣି ଥରେ ବ୍ୟାଟିଂ କରି ୩୯୦ ରନ୍ କରିଥିଲା। ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ୧୨୧ ରନ୍ର ଟାର୍ଗେଟ ଦିଆଯାଇଥିଲା ଏବଂ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ସେମାନେ ଗୋଟିଏ ୱିକେଟ୍ ହରାଇ ୬୩ ରନ୍ କରିଥିଲେ। ଭାରତକୁ ବିଜୟ ପାଇଁ ୫୮ ରନ୍ ଆବଶ୍ୟକ ଥିଲା।
ଅଧିକ ପଢ଼ନ୍ତୁ: ବିବାହର ମାତ୍ର ତିନି ମାସ ପରେ ଜ୍ବାଇଙ୍କୁ ହତ୍ୟା କଲା ଶ୍ୱଶୁର