ନୂଆଦିଲ୍ଲୀ: ଅରୁଣ ଜେଟ୍ଲି ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଦ୍ବିତୀୟ ଦିନରେ ଶନିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିଲ୍ଲୀ ଟେଷ୍ଟ ମ୍ୟଚ୍ରେ ଭାରତୀୟ ଟିମ୍ର ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଦ୍ବିଶତକ ଆଶା ରଖିଥିଲେ। କିନ୍ତୁ ସେ ରନ୍ ଆଉଟ୍ ହୋଇ ପାଭିଲିଅନ ଫେରିଛନ୍ତି। ଯଶସ୍ବୀ ଜୟସ୍ବାଲ ୨୫୮ ବଲ୍ର ସମ୍ମୁଖୀନ ହୋଇଥିଲେ ଏବଂ ସେ ଏଥିରୁ ୧୭୫ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୨୨ଟି ଚୌକା ସାମିଲ ଥିଲା। ଜୟସ୍ବାଲଙ୍କ ଟେଷ୍ଟ କ୍ୟାରିୟରରେ ଏହା ଥିଲା ସପ୍ତମ ଶତକ।
ଯଶସ୍ବୀ ଜୟସ୍ବାଲ ଚଳିତ ଶୃଙ୍ଖଳାର ଦ୍ବିତୀୟ ଦିନରେ ଅଧିନାୟକ ଶୁଭମନ ଗିଲଙ୍କ ସହିତ ଖେଳୁଥିବା ବେଳେ ତାଳମେଳର ଅଭାବ କାରଣରୁ ରନ୍ ଆଉଟ୍ ହୋଇଥିଲେ। ଭାରତୀୟ ପାଳିର ୯୨ ଓଭରରେ ଏହା ହୋଇଥିଲା। ଏହି ଓଭରରେ ଦ୍ରୁତ ବୋଲର ଜେଡନ ସିଲ୍ସ ଫୁଲଟସ୍ ପକାଇଥିଲେ। ଏହାକୁ ଜୟସ୍ବାଲ ମିଡ-ଅଫ୍କୁ ଖେଳିଥିଲେ। ସେ ଏଥିରୁ ଗୋଟିଏ ରନ୍ ନେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏହା ହୋଇ ନଥିଲା। ଶୁଭମନ ଗିଲ ରନ୍ ନେବାକୁ ଆଗ୍ରହୀ ନଥିଲେ।
ଯଶସ୍ବୀ ଜୟସ୍ବାଲ ବିଳମ୍ବରେ ଅନୁଭବ କଲେ ଯେ, ଶୁଭମନ ଗିଲ ରନ ପାଇଁ ଦୌଡୁନାହାନ୍ତି। ଏଭଳି ସ୍ଥିତିରେ ଯଶସ୍ବୀ କ୍ରିଜ୍କୁ ଫେରିବା ବେଳକୁ ରନ୍ ଆଉଟ୍ ହୋଇଥିଲେ। ତେଜନାରାୟଣ ଚନ୍ଦ୍ରପଲଙ୍କ ଥ୍ରୋ କିପର ଆଣ୍ଡକୁ ଆସିଥିଲା ଏବଂ ୱିକେଟକିପର ଟେଭିନ ଇମଲାଚ ନିଜ କାମ କରିଦେଇଥିଲେ। ଯଶସ୍ବୀଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଭାରତ ତୃତୀୟ ୱିକେଟ ହରାଇ ଥିଲା।
ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ୪ଟି ୱିକେଟ୍ରେ ୪୨୫ ରନ୍ ହୋଇଛି। କ୍ରିଜରେ ଶୁଭବମ ଗିଲ ଓ ଧ୍ରୁବ ଜୁରେଲ ଅଛନ୍ତି। ଏହା ପୂର୍ବରୁ କେଏଲ୍ ରାହୁଲ ୩୮ ରନ୍, ସାଈ ସୁଦର୍ଶନ ୮୭ ରନ୍ ଓ ନିତିଶ କୁମାର ରେଡ୍ଡୀ ୪୩ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ।
ଅଧିକ ପଢ଼ନ୍ତୁ: ବିଶ୍ବବିଦ୍ୟାଳୟକୁ ୟୁଜିସିର ଚେତାବନୀ