ବିଶାଖାପଟନମ: ମହିଳା ବିଶ୍ୱକପ୍ ୨୦୨୫ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ମୁହଁରୁ ବିଜୟ ଛଡାଇ ନେଲା ଦକ୍ଷିଣ ଆଫ୍ରିକା । ଆଉ ଜିତୁ ଜିତୁ ମ୍ୟାଚରେ ପରାଜିତ ହୋଇଛି ଭାରତ । ଦକ୍ଷିଣ ଆଫ୍ରିକା ଭାରତକୁ ୩ ୱିକେଟରେ ପରାସ୍ତ କରିଛି। ଏହି ରୋମାଞ୍ଚକର ମ୍ୟାଚ୍ରେ, ନାଡିନ୍ ଡି କ୍ଲାର୍କଙ୍କ ୮୪ ରନ୍ର ଇନିଂସ ଖେଳି ଦକ୍ଷିଣ ଆଫ୍ରିକାକୁ ବିଶ୍ୱକପରେ ସ୍ମରଣୀୟ ବିଜୟ ଦେଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତ ୨୫୧ ରନ୍ର ସ୍କୋର କରିଥିଲା, କିନ୍ତୁ ଦକ୍ଷିଣ ଆଫ୍ରିକା ୭ ବଲ୍ ବାକି ଥାଇ ୩ ୱିକେଟ୍ରେ ମ୍ୟାଚ୍ଟି ଜିତି ନେଇଛି । ଅଲରାଉଣ୍ଡର୍ ନାଡିନ୍ ଡି କ୍ଲାର୍କ ଏକାକୀ ଭାରତୀୟ ବୋଲରମାନଙ୍କ ଉଚିତ୍ ମୁକାବିଲା କରିଛନ୍ତି । ଏହା ୨୦୨୫ ବିଶ୍ୱକପ୍ରେ ଭାରତର ପ୍ରଥମ ପରାଜୟ।
ବିଶାଖାପାଟଣାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ବ୍ୟାଟିଂ ଫ୍ଲପ୍ ହୋଇଥିଲା। ଟିମ୍ ଇଣ୍ଡିଆ ମାତ୍ର ୧୦୨ ରନ୍ରେ ୬ ୱିକେଟ୍ ହରାଇଥିଲା। ମାତ୍ର ରିଚା ଘୋଷଙ୍କ ୯୪ ରନ୍ର ଇନିଂସ ଦଳର ସ୍କୋରକୁ ୨୫୦ ଅତିକ୍ରମ କରିବାରେ ସବୁଠାରୁ ବଡ଼ ଅବଦାନ ଦେଇଥିଲା। ସ୍ନେହ ରାଣା ମଧ୍ୟ ୩୩ ରନ୍ କରିଥିଲେ।
୨୫୨ ରନର ଟାର୍ଗେଟ ପିଛା କରି ଦକ୍ଷିଣ ଆଫ୍ରିକା ସ୍କୋର ୫୧ ରନରେ ପହଞ୍ଚିବା ବେଳକୁ ଦଳର ଅଧା ଖେଳାଳି ହରାଇ ଦେଇଥିଲା। ଅଧିନାୟକ ଲୌରା ୱୋଲଭାର୍ଡ ଦୀର୍ଘ ସମୟ ଧରି ଗୋଟିଏ ପାର୍ଶ୍ୱରେ ୭୦ ରନ କରି ଖେଳିଥିଲେ। ମନେ ହେଉଥିଲା ଟିମ୍ ଇଣ୍ଡିଆ ସହଜ ବିଜୟ ହାସଲ କରିବ। ୱୋଲଭାର୍ଡଙ୍କ ୱିକେଟ ପଡ଼ିବା ପରେ ଦକ୍ଷିଣ ଆଫ୍ରିକାର ସ୍କୋର ୧୪୨/୬ ଥିଲା। ଏଠାରେ ମଧ୍ୟ ଭାରତର ବିଜୟ ସହଜ ମନେ ହେଉଥିଲା।
କିନ୍ତୁ ନାଡିନ୍ ଡି କ୍ଲାର୍କ ଏବଂ କ୍ଲୋଇ ଟ୍ରାଇନ୍ ୫୯ ରନର ଭାଗୀଦାରି କରି ଦକ୍ଷିଣ ଆଫ୍ରିକାକୁ ବିଜୟର ନିକଟତର କରାଇଥିଲେ। ଟ୍ରାଇନ୍ ୪୯ ରନ କରି ଆଉଟ୍ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୪୧ ରନ ଆବଶ୍ୟକ ଥିଲା। କିନ୍ତୁ କ୍ଲାର୍କ କ୍ରିଜରେ ଦୃଢ଼ ଭାବେ ଛିଡା ହୋଇ ରହିଥିଲେ। ନାଡିନ୍ ଡି କ୍ଲାର୍କ ଏକାକୀ ଟିମ୍ ଇଣ୍ଡିଆକୁ ପରାସ୍ତ କରିଥିଲେ । ସେ ୫୪ ବଲରୁ ୮ ଚୌକା ଏବଂ ୫ ଛକା ମାରି ଅପରାଜିତ ୮୪ ରନ କରିଥିଲେ। ଭାରତୀୟ ଦଳ ପୂର୍ବରୁ ଶ୍ରୀଲଙ୍କା ଏବଂ ପାକିସ୍ତାନକୁ ପରାସ୍ତ କରିଥିଲା, କିନ୍ତୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ୨୦୨୫ ବିଶ୍ୱକପରେ ଭାରତକୁ ପରାସ୍ତ କରିଥିବା ପ୍ରଥମ ଦଳ ହୋଇଛି।
Also read: ଦିଲ୍ଲୀ ଟେଷ୍ଟରେ ଏମିତି ହେବ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶ, ବାଦ୍ ପଡିବେ ଏହି ତାରକା ଖେଳାଳି !