ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଶୁକ୍ରବାରଠୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଖେଳାଯିବ । ପ୍ରଥମ ଟେଷ୍ଟ ଜିତି ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ଟେଷ୍ଟ ଜିତି ଭାରତ ସିରିଜ୍ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ତେବେ ଏହି ଟେଷ୍ଟ ପାଇଁ କେମିତି ରହିବ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶ ? ଏହା ସ୍ପଷ୍ଟ କରିଛି ଭାରତୀୟ ଦଳ ପ୍ରବନ୍ଧକ । ଅହମ୍ମଦାବାଦ ଟେଷ୍ଟ ଖେଳିଥିବା ସମାନ ଏକାଦଶ ହିଁ ଦିଲ୍ଲୀ ଟେଷ୍ଟ ଖେଳିବ ।
ଭାରତୀୟ ଦଳର ସହାୟକ କୋଚ୍ ରାୟନ ଟେନ ଡୋଏଶେ କହିଛନ୍ତି, ଭାରତ ସମ୍ଭବତଃ ବିନା କୌଣସି ପରିବର୍ତ୍ତନରେ ଦିଲ୍ଲୀ ଟେଷ୍ଟ ମ୍ୟାଚ୍ ଖେଳିବ । ବୋଲିଂ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ବଢିବା ପାଇଁ ସୁଯୋଗ ଦିଆଯିବ । ତାଙ୍କର କହିବା କଥା ବିଦେଶ ମାଟିରେ ନୀତିଶଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ରହିଛି । ତେଣୁ ଦଳ ପ୍ରବନ୍ଧକ ତାଙ୍କୁ ଆହୁରି ସୁଯୋଗ ଦେବେ ।
ମ୍ୟାଚ୍ ପୂର୍ବର ସାମ୍ବାଦିକ ସମ୍ମିଳନୀରେ ରାୟନ ଟେନ ଡୋଏଶେ କହିଛନ୍ତି, ଚୂଡାନ୍ତ ଏକାଦଶରେ ସମ୍ଭାବନା କମ ଲାଗୁଛି । ଆମର ଉଦ୍ଦେଶ ଭାରତକୁ ଏକ ଦ୍ରୁତ ବୋଲର ଅଲରାଉଣ୍ଡର ପ୍ରସ୍ତୁତ କରିବା । ଯେବେ ଆମେ ବିଦେଶ ଗସ୍ତ କରୁଛୁ ଏହା ବହୁତ ଜରୁରୀ ହୋଇ ପଡେ । ଗତ ସପ୍ତାହରେ ଆମେ ନୀତିଶଙ୍କ ଉପରେ ଅଧିକ ଧ୍ୟାନ ଦେଇ ନ ଥିଲୁ । ଏଥିପାଇଁ ମୋତେ ଲାଗୁଛି ନୀତିଶଙ୍କୁ ଆଉ ଏକ ସୁଯୋଗ ଦେବା ଦରକାର । ଏହା ବାଦ୍ ଦଳରେ ଆଉ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍(ଅଧିନାୟକ), ଧ୍ରୁବ ଜୁରେଲ(ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ନୀତିଶ କୁମାର ରେଡ୍ଡୀ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ।
Also read: ବିରାଟ-ରୋହିତଙ୍କ ସମେତ ଏହି ଦିନ ଅଷ୍ଟ୍ରେଲିଆ ଗସ୍ତ କରିବ ଟିମ୍ ଇଣ୍ଡିଆ