ନୂଆଦିଲ୍ଲୀ: ଯଶସ୍ୱୀ ଜୟସ୍ୱାଲ ଦିଲ୍ଲୀରେ ଖେଳା ଯାଉଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଶତକ ହାସଲ କରିଛନ୍ତି । ସେ ପ୍ରଥମ ଦିନର ଦ୍ୱିତୀୟ ସେସନରେ ହିଁ ନିଜର ଶତକ ପୂରା କରିଛନ୍ତି । ଏହି ଇନିଂସ ସହ ସେ ନିଜର ତିନି ହଜାର ଅନ୍ତର୍ଜାତୀୟ ରନ ପୂରଣ କରିଛନ୍ତି । ଏହା ସହ ସବୁଠୁ କମ ଇନିଂସରେ ଏହି ରନ ପୂରା କରିବାରେ ସେ ବିରାଟ କୋହଲି, ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡଙ୍କ ପରି ମହାନ ଖେଳାଳିଙ୍କୁ ପଛରେ ପକାଇଛନ୍ତି ।
ଯଶସ୍ୱୀ ଜୟସ୍ୱାଲ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଇନିଂସରେ ୩ ହଜାର ରନ ପୂରଣ କରିବାର ରେକର୍ଡ କରିଛନ୍ତି । ସେ ୭୧ତମ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ଜୟସ୍ୱାଲ ଗୋଟିଏ ଦିନିକିଆ ଖେଳି ୧୫ ରନ, ୨୩ଟି ଟି-୨୦ ମ୍ୟାଚର ୨୨ ଇନିଂସରୁ ୭୨୩ ରନ କରିଛନ୍ତି । ସେ ୪୮ତମ ଟେଷ୍ଟ ଇନିଂସରୁ ଅବଶିଷ୍ଟ ରନ କରିଛନ୍ତି । ଏଥିରେ ସାତୋଟି ଶତକ ସାମିଲ । ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ତାଙ୍କ ନାଁରେ ଗୋଟିଏ ଶତକ ରହିଛି ।
ଜୟସ୍ୱାଲଙ୍କ ଏହି ଶତକ ବଳରେ ଭାରତର ସ୍ଥିତି ମଜବୁତ ରହିଛି । ଦଳ ୫୪ ଓଭର ସୁଦ୍ଧା ଏକ ୱିକେଟ୍ ହରାଇ ୨୦୭ ରନ କରିଛି । ଜୟସ୍ୱାଲ ୧୦୬ ରନ ଓ ସାଇ ସୁଦର୍ଶନ ୬୩ ରନ କରି ଅପରାଜିତ ଅଛନ୍ତି । କେଏଲ ରାହୁଲ ୩୮ ରନ କରି ଆଉଟ୍ ହୋଇଛନ୍ତି । ଏହା ପୂର୍ବରୁ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ସବୁଠୁ କମ ଇନିଂସରେ ୩ ହଜାର ଅନ୍ତର୍ଜାତୀୟ ରନ କରିଥିବା ଭାରତୀୟ
୬୯- ସୁନୀଲ ଗାଭାସ୍କର
୭୧- ଯଶସ୍ୱୀ ଜୟସ୍ୱାଲ
୭୪- ସୌରଭ ଗାଙ୍ଗୁଲି
୭୭- ଶୁଭମନ ଗିଲ୍
୭୯- ପୋଲି ଉମ୍ରିଗର
୮୦- ବିରାଟ କୋହଲି
Also read: ଭାରତ ମୁହଁରୁ ବିଜୟ ଛଡାଇ ନେଲା ଦକ୍ଷିଣ ଆଫ୍ରିକା, ମହିଳା ବିଶ୍ୱକପରେ ହରମୀତ ବାହିନୀଙ୍କ ପ୍ରଥମ ପରାଜୟ