ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ପ୍ରଥମ ଟେଷ୍ଟ ସିରିଜ ଜିତିବାର ନିକଟତର ହୋଇଛି। ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜର ଦ୍ୱିତୀୟ ଏବଂ ଅନ୍ତିମ ମ୍ୟାଚ୍ ଶୁକ୍ରବାର ଦିଲ୍ଲୀର ଅରୁଣ ଜେଟଲି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଟିମ୍ ଇଣ୍ଡିଆ ସିରିଜରେ ୧-୦ରେ ଆଗୁଆ ଅଛି,ଯଦି ଦ୍ୱିତୀୟ ଟେଷ୍ଟ ଡ୍ରରେ ଶେଷ ହୁଏ, ତେବେ ମଧ୍ୟ ଭାରତ ସିରିଜ ଜିତିବ। ତଥାପି ପୂର୍ବ ରେକର୍ଡ ଅନୁଯାୟୀ, ଏହି ଷ୍ଟାଡିୟମରେ ଦୁଇ ଦଳ ସାତ ଥର ଟେଷ୍ଟରେ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୱେଷ୍ଟଇଣ୍ଡିଜ୍ ଭାରତ ଅପେକ୍ଷା ଅଧିକ ମ୍ୟାଚ୍ ଜିତିଛି। ଅର୍ଥାତ ଦିଲ୍ଲୀ ଷ୍ଟାପିୟମରେ ଭ୍ରମଣକାରୀ ଦଳର ପଲ୍ଲା ଭାରି ରହିଛି ।
ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ଇଂଲଣ୍ଡରେ ପ୍ରଥମ ଟେଷ୍ଟ ସିରିଜ୍ ଖେଳିଥିଲା, ଯାହା ୨-୨ ଡ୍ରରେ ଶେଷ ହୋଇଥିଲା। ତେବେ ଭାରତ ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍କୁ ସହଜରେ ହରାଇଛି । ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ୍କୁ ୧୬୨ ରନରେ ଆଉଟ କରିବା ପରେ, ଭାରତ ୪୪୮/୫ରେ ଇନିଂସ ଘୋଷଣା କରିଥିଲା। କେଏଲ ରାହୁଲ (୧୦୦), ଧ୍ରୁବ ଜୁରେଲ (୧୨୫) ଏବଂ ରବିନ୍ଦ୍ର ଜାଡେଜା (୧୦୪) ଶତକ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍କୁ ୧୪୬ ରନ୍ରେ ଅଲଆଉଟ୍ କରିବା ପରେ, ଟିମ୍ ଇଣ୍ଡିଆ ମ୍ୟାଚ୍କୁ ଏକ ଇନିଂସ ଏବଂ ୧୪୦ ରନ୍ ଜିତିଥିଲା।
ଅରୁଣ ଜେଟଲି ଷ୍ଟାଡିୟମ୍ରେ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ରେକର୍ଡ
ମୋଟ ମ୍ୟାଚ୍: ୭
ଭାରତ ବିଜୟୀ: ୧
ୱେଷ୍ଟଇଣ୍ଡିଜ୍ ବିଜୟୀ: ୨
ଡ୍ର: ୪
ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ନଭେମ୍ବର ୧୯୪୮ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହୋଇଥିଲା ଏବଂ ମ୍ୟାଚ୍ ଡ୍ର ରହିଥିଲା । ଏହି ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଫେବୃଆରୀ ୧୯୫୯ରେ ଖେଳା ଯାଇଥିଲା ଏବଂ ଏହି ଟେଷ୍ଟ ବି ଡ୍ର ରହିଥିଲା ।
ଦିଲ୍ଲୀରେ ଦୁଇ ଦଳ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୧୯୭୪ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୱେଷ୍ଟଇଣ୍ଡିଜ୍ ଭାରତକୁ ଏକ ଇନିଂସ ଏବଂ ୧୭ ରନ୍ରେ ପରାସ୍ତ କରିଥିଲା। ଏହା ପରେ, ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ଦୁଇଟି ଟେଷ୍ଟ (୧୯୭୯ ଏବଂ ୧୯୮୩) ଡ୍ରରେ ଶେଷ ହୋଇଥିଲା। ନଭେମ୍ବର ୧୯୮୭ରେ ଅରୁଣ ଜେଟଲି ଷ୍ଟାଡିୟମ୍ରେ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଥର ପାଇଁ ଭାରତକୁ ପରାସ୍ତ କରିଥିଲା। ୱେଷ୍ଟଇଣ୍ଡିଜ୍ ଏହି ଟେଷ୍ଟ୍କୁ ୫ ୱିକେଟରେ ଜିତିଥିଲା।
ଶେଷ ଥର ପାଇଁ ଦୁଇ ଦଳ ଦିଲ୍ଲୀରେ ପରସ୍ପରର ନଭେମ୍ବର ୨୦୧୧ରେ ଭେଟିଥିଲେ । ଏହି ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳ ଅରୁଣ ଜେଟଲି ଷ୍ଟାଡିୟମରେ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଥିଲା। ଭାରତ ସେହି ମ୍ୟାଚ୍ ୫ ୱିକେଟରେ ଜିତିଥିଲା। ଗୌତମ ଗମ୍ଭୀର, ଯିଏ ବର୍ତ୍ତମାନ ଭାରତୀୟ ଦଳର ପ୍ରଶିକ୍ଷକ ଅଛନ୍ତି, ସେ ଏହି ମ୍ୟାଚ୍ ଖେଳୁଥିଲେ।