ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ନିଜ ସ୍ଥିତିକୁ ମଜବୁତ କରିଛି । ଦ୍ୱିତୀୟ ଦିନର ଖେଳ ସୁଦ୍ଧା ଭାରତ ଏକ ବିଶାଳ ସ୍କୋର୍ କରି ପାଳି ଘୋଷଣା କରିଛି । ଅଧିନାୟକ ଶୁବମନ ଗିଲ୍ ଏବଂ ଜଶସ୍ୱୀ ଜୟସୱାଲଙ୍କ ଦୁଇଟି ଶତକ ବଳରେ ୫ଟି ୱିକେଟ୍ ହରାଇ ୫୧୮ ରନରେ ଦଳ ବ୍ୟାଟିଂକୁ ସ୍ଥଗିତ ରଖିଛି । ୱେଷ୍ଟଇଣ୍ଡିଜର ବ୍ୟାଟିଂ ପର୍ୟ୍ୟାୟ ଆରମ୍ଭ ହୋଇଛି ।
ଦ୍ୱିତୀୟ ଦିନରେ ଭାରତୀୟ ଟିମ୍ ୩୧୮ ରନରୁ ବ୍ୟାଟିଂ ଆରମ୍ଭ କରିଥିଲା । ପ୍ରଥମ ଦିନରେ ୧୭୨ ରନ୍ କରିଥିବା ଜୟସ୍ୱାଲ ଏବଂ ୨୦ ରନରେ ଅଟକି ଥିବା ଅଧିନାୟକ ଗିଲ୍ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । କିନ୍ତୁ ଜୟସ୍ୱାଲଙ୍କ ଦ୍ୱିଶତକ ସ୍ୱପ୍ନ ଧୂଳିସାତ୍ ହୋଇଥିଲା । ମାତ୍ର ୩ ରନ୍ ଯୋଡ଼ି ରନ୍ ଆଉଟ୍ ହୋଇ ପାଭିଲିୟନ୍ ଫେରିଥିଲେ । ଜୟସ୍ୱାଲ ୨୫୮ ବଲରେ ୧୭୫ ରନ୍ କରିଥିଲେ । ଏହା ପରେ ଶୁବମନ୍ ଗିଲ୍ ଓ ନିତିଶ ରେଡ୍ଡୀଙ୍କ ପାଳ ଆରମ୍ଭ ହୋଇଥିଲା ।
ଶୁବମନ୍ ଗିଲ୍ ଶତକୀୟ ପାଳି ଏକ ବଡ଼ ରନ୍ ସ୍କୋର୍ କରି ଦଳର ସ୍ଥିତିକୁ ଆହୁରି ମଜବୁତ କରିଥିଲେ । ନିତିଶ ୫୪ ବଲରେ ୪୩ ରନ୍ କରି ୱାରିକ୍ୟାନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ପରେ ପରେ ଧ୍ରୁବ ଜୁରେଲ୍ ପଡ଼ିଆକୁ ଆସି ଶୁବମନଙ୍କ ସାଥ୍ ଦେଇଥିଲେ । ଜୁରେଲ୍ ୭୯ଟି ବଲ୍ ଖେଳି ୪୪ ରନ୍ ପରେ ରୋଷ୍ଟନ୍ ଚେଜ୍ ଙ୍କ ବଲରେ ବୋଲ୍ଡ ହୋଇଥିଲେ । ଆଉ ଅଧିନାୟକ ଗିଲ୍ ୧୨୯ ରନରେ ନଟ୍ଆଉଟ୍ ରହି ପାଳି ଘୋଷଣା କରିଥିଲେ । ଗିଲ୍ ୧୯୬ ବଲରେ ୧୨୯ କରିଛନ୍ତି, ଯେଉଁଥିରେ ୧୬ଟି ଚୌକା ଏବଂ ୨ଟି ଛକା ସାମିଲ ଅଛି ।
ଏହା ପୂର୍ବରୁ ପ୍ରଥମ ଦିନରେ କେ ଏଲ୍ ରାହୁଲ ୩୮ (୫୪) ଏବଂ ସାଇ ସୁଦର୍ଶନ ୮୭ (୧୬୫) କରିଛନ୍ତି ।