ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ ଭବିଷ୍ୟତବାଣୀ କରିଛନ୍ତି । ରୋହିତ ଓ କୋହଲି ଯୋଡିଙ୍କ ଲମ୍ବା ସମୟ ପରେ ମଇଦାନକୁ ପ୍ରତ୍ୟାବର୍ତ୍ତନ ଫିକା ରହିଛି । ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମ ଦିନିକିଆରେ ଦୁଇ ଖେଳାଳିଙ୍କଠୁ ଦମଦାର ପ୍ରଦର୍ଶନର ଆଶା ଥିଲା । ମାତ୍ର ପର୍ଥ ମୁକାବିଲାରେ ରୋହିତ ଓ କୋହଲି ଉଭୟଙ୍କ ପ୍ରଦର୍ଶନ ଫିକା ରହିଛି । ରୋହିତ ୮ ରନ ତ କୋହଲି ଖାତା ଖୋଲି ପାରି ନାହାନ୍ତି । ତେବେ ଏହି ନିରାଶଜନକ ପ୍ରଦର୍ଶନ ସତ୍ତ୍ୱେ ସୁନୀଲ ଗାଭାସ୍କର ଦୁଇ ଷ୍ଟାର ଖେଳାଳିଙ୍କଠୁ ବାକି ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନର ଆଶା ରହିଛି ।
ଗାଭାସ୍କର ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ କହିଛନ୍ତି, ବୋଧହୁଏ ଦୁହେଁ ଅଷ୍ଟ୍ରେଲିଆର ସବୁଠୁ ବାଉନ୍ସିଂ ପିଚରେ ଖେଳୁଥିଲେ । ଏହା ସେତେ ସହଜ ନ ଥିଲା, ବିଶେଷ କରି ସେହି ଖେଳାଳିଙ୍କ ପାଇଁ ଯିଏ କିଛି ମାସ ହେବ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାନ୍ତି । ଶୁଭମନ ଗିଲ୍ ଓ ଶ୍ରେୟସ ଆୟରଙ୍କ ପାଇଁ ପରିସ୍ଥିତି ଚ୍ୟାଲେଞ୍ଜିଂ ଥିଲା । ଏହି ଖେଳାଳି ନିୟମିତ ଭାବେ କ୍ରିକେଟ୍ ଖେଳୁଛନ୍ତି ।
ସେ କହିଛନ୍ତି, ଭାରତ ଏବେ ବି ବହୁତ ଭଲ ଦଳ । ଦଳ ଚାମ୍ପିଅନ୍ସ ଟ୍ରଫି ଜିତିଛି । ଯଦି ରୋହିତ ଓ କୋହଲି ଆଗାମୀ ଦୁଇ ମ୍ୟାଚରେ ଭଲ ପ୍ରଦର୍ଶନ କରନ୍ତି ତେବେ ଆଶ୍ଚର୍ଯ୍ୟ ହେବାର କିଛି କଥା ନାହିଁ । ସେମାନେ କିଛି ମାସର ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ରହିବା ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେମାନେ ଯେତେ ଅଧିକ ଖେଳିବେ, ଯେତେ ଅଧିକ ନେଟ୍ସରେ ସମୟ ବିତାଇବେ, ସେତେ ଶୀଘ୍ର ନିଜର ଲୟ ହାସଲ କରିବେ । ଥରୁଟିଏ ଉଭୟଙ୍କ ବ୍ୟାଟରୁ ରନ ବାହାରିଲେ ଭାରତର ସ୍କୋର ୩୦୦ କିମ୍ବା ୩୦୦ରୁ ଅଧିକ ହେବ ।
Also read: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତର ପ୍ରଦର୍ଶନ ନେଇ ଅଶ୍ବିନ କହିଲେ...‘ଦାୟିତ୍ବ ନେବାକୁ ପଡ଼ିବ’