ନୂଆଦିଲ୍ଲୀ: ଦୀପାବଳିରେ ‘ଚାଇନ୍ ମାଲକୁ ନାଁ ଏବଂ ଦେଶୀ ମାଲକୁ ହଁ’ । ଚଳିତ ବର୍ଷ ଦେଶରେ ଦୀପାବଳିରେ ରେକର୍ଡ ସଂଖ୍ୟାରେ ବ୍ୟବସାୟ କରି ଇତିହାସ ସୃଷ୍ଟି କରିଛି । ଅଖିଳ ଭାରତୀୟ ବ୍ୟବସାୟୀ ସଂଘର ରିପୋର୍ଟ ଅନୁସାରେ ୫ ଲକ୍ଷ ୪୦ ହଜାର କୋଟିର ସାମଗ୍ରୀ ବିକ୍ରି ହୋଇଛି । ଏହା ସହିତ ବିଭିନ୍ନ ସେବାରେ ୬୫ ହଜାର କୋଟିର କାରବାର ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଲୋକେ ଚାଇନା ନିର୍ମିତ ସାମଗ୍ରୀ ଅପେକ୍ଷା ଦେଶୀ ସାମଗ୍ରୀ କିଣିବାକୁ ଅଧିକ ପସନ୍ଦ କରିଛନ୍ତି ।
ସିଏଆଇଟିର ରିପୋର୍ଟ ଅନୁସାରେ, ଦୀପାବଳିରେ ବିଭିନ୍ନ ରାଜ୍ୟର ରାଜଧାନୀରେ ଏବଂ ବିଭିନ୍ନ ସହରରେ ୬୦ଟି ପ୍ରମୁଖ ବିତ୍ତରଣ କେନ୍ଦ୍ର ଉପରେ ସର୍ଭେ କରାଯାଇଛି । ଚଳିତ ବର୍ଷ ପବିତ୍ର ଦୀପାବଳିରେ ରେକର୍ଡ ସଂଖ୍ୟାରେ ବିକ୍ରି ହୋଇଛି । ମୋଟ ୬.୦୫ ଲକ୍ଷ କୋଟିରେ ସାମଗ୍ରୀ ବିକ୍ରି ପହଁଚିଛି । ଯେଉଁଥିରେ ୫ ଲକ୍ଷ ୪୦ ହଜାର ସାମଗ୍ରୀ ଏବଂ ସେବାରେ ୬୫ ହଜାର କୋଟି ସାମିଲ ଅଛି । ଯାହାକି ଭାରତୀୟ ବ୍ୟବସାୟିକ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି । ପାର୍ବଣ ସମୟରେ ଏହା ସର୍ବାଧିକ କାରବାରରେ ଗଣତି ହୋଇଛି ।
ସେହିପରି ଏଥିରେ ଆହୁରି ଖୁସି ଖବର ଆସିଛି । ଲୋକେ ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଅର୍ଥାତ ସ୍ୱଦେଶୀ ସାମଗ୍ରୀ କିଣିବାକୁ ଅଧିକ ପସନ୍ଦ କରିଛନ୍ତି । ପ୍ରତି ୧୦୦ ଜଣରେ ୮୭ ଜଣ ଦେଶୀ ଜିନିଷ କିଣିଛନ୍ତି । ଫଳରେ ଚୀନ ସାମଗ୍ରୀ ଚାହିଦା ହ୍ରାସ ପାଇଛି । ବ୍ୟବସାୟୀ ମାନେ ଗତ ବର୍ଷ ତୁଳନାରେ ଭାରତୀୟ ନିର୍ମିତ ସାମଗ୍ରୀ ୨୫ ପ୍ରତିଶତ ଅଧିକ ବିକ୍ରି କରିଛନ୍ତି ।
ଦିଲ୍ଲୀ ଚାନ୍ଦନୀଚୌକ ସାଂସଦ ତଥା ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜିଏସଟିକୁ ଯୁକ୍ତିସଂଗତ ଏବଂ ସ୍ୱଦେଶୀକୁ ଆପଣାଇବାରେ ଜଣେ ପ୍ରମୁଖ ବ୍ରାଣ୍ଡ ଆମ୍ବାସଡର୍ ଭାବେ କାମ କରିଛନ୍ତି । ଯାହାଦ୍ୱାରା ବ୍ୟବସାୟୀ ଏବଂ ଗ୍ରାହକ ଉଭୟ ପ୍ରେରିତ ହୋଇଛନ୍ତି ।
ସିଏଆଇଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି.ସି.ଭରତିୟାଙ୍କ ସୂଚନା ଅନୁସାରେ, ରାସନ ଓ ଏଫଏମସିଜି ୧୨ %, ସୁନା ଓ ଅଳଙ୍କାର ୧୦%, ବୈଦ୍ୟୁତିକ ସାମଗ୍ରୀ ୮%, ରେଡିମେଡ୍ ପୋଷାକ ୭%, ଉପହାର ୭%, ଘର ସଜାଇବା ସାମଗ୍ରୀ ୫%, ଫର୍ଣ୍ଣିଚର୍ ୫%, ମିଠା ଏବଂ ନମକିନ୍ ୫%, କପଡ଼ା ୪ %, ପୂଜା ସାମଗ୍ରୀ ୩ %, ଫଳ ଏବଂ ଶୁଖିଲା ମିଠା ୩%, ବେକେରି ଖାଦ୍ୟ (କେକ୍, ବିସ୍କୁଟ୍ ଇତ୍ୟାଦି) ୩%, ଜୋତା ୨ %, ଏବଂ ଅନ୍ୟାନ୍ୟ ବସ୍ତୁ ବିକ୍ରି ୧୯% ବିକ୍ରି ହୋଇଛି ।
ଖାଲି ସେତିକି ନୁହେଁ ପ୍ୟାକେଜିଂ, ରହିବା, କ୍ୟାବ୍, ବିମାନ ଓ ରେଳ ଯାତ୍ରା, ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ, ସାଜସଜା, ଡେଲିଭରି ଇତ୍ୟାଦି ସେବାରେ ମଧ୍ୟ ରାଜସ୍ୱ ମିଳିଛି ।