ନୂଆଦିଲ୍ଲୀ: ଦୀପାବଳିରେ ଘନ ଘନ ବାଣ ଫୁଟା ପରେ ଏବେ ଘାରିଛି ବାୟୁ ପ୍ରଦୂଷଣ । ବିଭିନ୍ନ ସ୍ଥାନରେ ପ୍ରଶାସନର କଟକଣାକୁ ଫୁ କରି ଫୁଟାଗଲା ବାଣ । ବିଭିନ୍ନ ସହରର ବାୟୁ ପ୍ରଦୂଷଣ ମାତ୍ରାଧିକ ବୃଦ୍ଧି ପାଇଛି । ଏହି କ୍ରମରେ ଜାତୀୟ ରାଜଧାନୀ ଦିଲ୍ଲୀ ସବୁଠୁ ଆଗରେ ରହିଛି । ଦିଲ୍ଲୀ ଦୁନିଆର ସବୁଠାରୁ ପ୍ରଦୂଷିତ ସହରରେ ଗଣତି ହୋଇଛି ।
ନୂଆ ଦିଲ୍ଲୀର ଏୟାର ଇଣ୍ଡେକ୍ସ କ୍ୱାଲିଟି ରିଡିଙ୍ଗରେ ୪୪୨ ଥିଲା । ଏହା ଦ୍ୱାରା ଦିଲ୍ଲୀ ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ସହର ହୋଇଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ଷିକ ନିର୍ଦ୍ଦେଶାବଳୀ ଅନୁସାରେ ଦିଲ୍ଲୀର ପିଏମ୍ ୨.୫ର କନସେଷ୍ଟ୍ରେସନ୍ ୫୯ ଗୁଣା ଅଧିକ ରହିଛି । ପିଏମ୍ ୨.୫ ହେଉଛି ଏକ ସୂକ୍ଷ୍ମ ପଦାର୍ଥ ଯାହାର ବ୍ୟାସ ୨.୫ ମାଇକ୍ରୋମିଟର୍ ଅଟେ, ଏବଂ ଏବଂ ଏହା ମସ୍କିଷ୍କରେ ପ୍ରବେଶ କରିପାରେ । ବାୟୁରେ ଏହାର ପରିମାଣ ବୃଦ୍ଧି ଦ୍ୱାରା ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବା ସିପିସିବି ମଧ୍ୟ ସହର ବାୟୁର ମାନକୁ ନେଇ ‘ଅତ୍ୟନ୍ତ ଖରାପ’ ବୋଲି କହିଛି । ସିପିସିବି ଅନୁସାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୦-୫୦ ମଧ୍ୟରେ ରହିବା ଅତ୍ୟନ୍ତ ଭଲ । ଆଗାମୀ ଦିନରେ ଦିଲ୍ଲୀର ବାୟୁର ମାନ ଆହୁରି ଖରାପ ଆଡ଼କୁ ଗତି କରିବ । ଦିଲ୍ଲୀର ବାୟୁ ପ୍ରଦୂଷଣ ‘ବହୁତ ଖରାପରୁ ଖରାପ’ ତାଲିକାରେ ରହିବ ।
ଅନ୍ୟପକ୍ଷରେ ବାୟୁ ପ୍ରଦୂଷଣକୁ ନେଇ ରାଜନୀତି ତେଜିଛି । ବିଜେପି ଏବଂ ଆମ୍ ଆଦମୀ ପାର୍ଟି ପରସ୍ପରକୁ ଦୋଷାରୋପ କରୁଛନ୍ତି । ଦିଲ୍ଲୀ ମନ୍ତ୍ରୀ ମନଜିନ୍ଦର ସିଂ ସିରସା ଆପ୍ ମୁଖ୍ୟ ଅରବିନ୍ଦ୍ର କେଜ୍ରିୱାଲଙ୍କ ପ୍ରଶ୍ନ ବାଣ ଛାଡ଼ିଛନ୍ତି । ଆପ୍ ଦଳ ଜାଣିଶୁଣି ପଞ୍ଜାବ ଚାଷୀଙ୍କୁ ନଡ଼ା ଜାଳିବାକୁ ଉସକାଉଛନ୍ତି । ଯଦ୍ୱାରା ଦିଲ୍ଲୀର ବାୟୁ ବିଷାକ୍ତ ହେବ । ଚାଷୀମାନେ ନିଜେ ନଡ଼ା ଜାଳିବାକୁ ଚାହୁଁ ନ ଥିବାବେଳେ ଆପ୍ ନେତାମାନେ ସେମାନଙ୍କୁ କହୁଛନ୍ତି ।
ସେହିପରି ସିରସା ଆହୁରି କହିଛନ୍ତି ଯେ କେଜ୍ରିୱାଲ ହିନ୍ଦୁଙ୍କ ଭାବନାକୁ ଆଘାତ ପହଁଚାଉଛନ୍ତି । ସେ କହିଛନ୍ତି, ଦୀପାବଳିରେ ବାଣ ଉପରେ ପ୍ରତିବନ୍ଧକ ଲଗାଯାଉଛି, କିନ୍ତୁ ଅନ୍ୟ ଧାର୍ମିକ ପ୍ରଥା ଉପରେ ଚୁପ ରହୁଛନ୍ତି । ଯେତେବେଳେ ବକରୀଦରେ ରାସ୍ତା ଉପରେ ପଶୁଙ୍କ ବଳି ଦିଆଯାଉଛି, ସେତେବେଳେ କଣ କେଜ୍ରିୱାଲ୍ କିଛି କହୁଛନ୍ତି କି ? ଏହି ଲୋକମାନେ ଦୀପାବଳିଙ୍କୁ ବଦନାମ କରିବା ଲୋକ ଅଟନ୍ତି, ଔରଙ୍ଗଜେବ ଭଳି ହିନ୍ଦୁ ପରମ୍ପରା ଉପରେ ଆକ୍ରମଣ କରୁଛନ୍ତି ।