ଆଗ୍ରା: ଆଗ୍ରା-ଲଖନଉ ଏକ୍ସପ୍ରେସୱେରେ ଫତେହାବାଦ ଟୋଲ୍ ବୁଥରେ ହଜାର ସଂଖ୍ୟକ ଗାଡି ବିନା ଟୋଲ ଟ୍ୟାକ୍ସ ଦେଇ ଚାଲିଗଲେ । କାରଣ ଦୀପାବଳି ବୋନସରେ ଅସନ୍ତୁଷ୍ଟ କର୍ମଚାରୀ ଟୋଲର ସବୁ ଗେଟ୍ ଖୋଲି ଦେଲେ । ଏହି ବିରୋଧ ପ୍ରଦର୍ଶନ କାରଣରୁ ସ୍ୱାଭାବିକ ଟୋଲ ସଞ୍ଚାଳନ ଓ ଯାତାୟତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଯାହା ପରେ ପୋଲିସକୁ ତୁରନ୍ତ ଘଟଣାସ୍ଥଳକୁ ଆସିବାକୁ ପଡିଥିଲା । କର୍ମଚାରୀଙ୍କ ଏହି ହଡତାଳ କାରଣରୁ ଟୋଲ୍ କମ୍ପାନିର ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଛି ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଶାନ୍ତ କରିବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ଏକାଠି ବସାଇ ଆଲୋଚନା କରିଥିଲେ । ଆଲୋଚନାରେ ଟୋଲ୍ ଅଧିକାରୀ କର୍ମଚାରୀଙଯକୁ ଆଶ୍ୱାସନ ଦେବା ପରେ ହିଁ ଫତେହାବାଦ ଟୋଲ୍ ଟ୍ୟାକ୍ସର କର୍ମଚାରୀ କାମ ଆରମ୍ଭ କରିଥିଲେ । କିନ୍ତୁ କର୍ମଚାରୀ କାମ ବନ୍ଦ କରିବା ପରେ ଟୋଲ୍ ପରିଚାଳକ ଅନ୍ୟ ଟୋଲରୁ କର୍ମଚାରୀଙ୍କୁ ଡକାଇ ନେଇଥିଲେ । କିନ୍ତୁ ପ୍ରଦର୍ଶନ କରୁଥିବା କର୍ମଚାରୀ ସେମାନଙ୍କୁ କାମ କରିବାକୁ ଦେଇ ନ ଥିଲେ । ସ୍ଥିତି ବିଗୁଡୁଥିବା ଦେଖି ଟୋଲର ବରିଷ୍ଠ ଅଧିକାରୀ କର୍ମଚାରୀଙ୍କୁ ୧୦ ପ୍ରତିଶତ ଦରମା ବୃଦ୍ଧିର ଆଶ୍ୱାସନ ଦେଇଛନ୍ତି ।
ଦରମା ବୃଦ୍ଧିର ଆଶ୍ୱାସନ ମିଳିବା ପରେ କର୍ମଚାରୀ କାମ ଆରମ୍ଭ କରିଛନ୍ତି । ଫତେହାବାଦ ଟୋଲ ପ୍ଲାଜାର ଦାୟିତ୍ୱ ଶ୍ରୀ ସାଇନ ଆଣ୍ଡ ଦାତାର କମ୍ପାନି ପାଖରେ ରହିଛି । କମ୍ପାନି ୨୦୨୫ ମାର୍ଚ୍ଚରେ ଟୋଲ୍ ପ୍ଲାଜାର ଠିକା ନେଇଥିଲା । ଟୋଲରେ ୨୧ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଏହି କର୍ମଚାରୀଙ୍କୁ ଦୀପାବଳିରେ କେବଳ ୧୧୦୦ ଟଙ୍କା ବୋନସ ମିଳିଥିଲା । କମ୍ପାନିର କହିବା କଥା ମାର୍ଚ୍ଚରେ ଠିକା ନେଇଥିଲୁ । ବର୍ଷେ ବି ହୋଇନି ଆମେ କେମିତି ବୋନସ ଦେଇଥାନ୍ତୁ । କିନ୍ତୁ କର୍ମଚାରୀ ଏହାକୁ ନେଇ ସହମତ ନ ଥିଲେ ।
Also read: ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି, ପିଏମ ମୋଦୀ ଜଣାଇଲେ ଶୁଭେଚ୍ଛା