ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ପ୍ରବଳ ବର୍ଷା ପାଇଁ ପ୍ରଶାସନ ଆର୍ଲଟ ରହିଛି। ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସମସ୍ତ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି ଯେ ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବାର ଆକଳନ ହୋଇଛି। ବାତ୍ୟା ନେଇ ଆମେରିକାର ଏକ ସଂସ୍ଥା ଆକଳନ କରୁଛି । କିନ୍ତୁ ଭାରତୀୟ ପାଣିପାଗ ସଂସ୍ଥା କେବଳ ବର୍ଷା ହେବ ବୋଲି ବର୍ତ୍ତମାନ ସୁଦ୍ଧା ଆକଳନ କରିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ତେଣୁ ତାକୁ ରେଡ ଆଲର୍ଟରେ ରଖାଯାଇଛି । ଉପକୂଳ ଜିଲ୍ଲା ଗୁଡ଼ିକ ଅରେଞ୍ଜ ଆଲର୍ଟରେ ରହିଛି । ବର୍ଷା ଅଧିକ ପରିମାଣରେ ହେବାର ସମ୍ଭାବନା ଥିବାରୁ ଆମେ ଜିଲ୍ଲା ପ୍ରଶାସନ ଆଲର୍ଟରେ ରଖିଛୁ । ପ୍ରକୋପ ବେଶୀ ହଉ ଅବା କମ୍ ସେଥିପାଇଁ ମୁକାବିଲା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ଯେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଦିଗ କରି ବୁଧବାର ଅବପାତରେ ପରିଣତ ହେବ । ଏହାପରେ ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ଗତି କରିବ । ପରବର୍ତ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ଯାଏଁ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ବର୍ଷାର ପ୍ରଭାବ ରହିବ । ବିଜୁଳି, ଘଡଘଡି ଓ ଝଟକା ପବନ ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା ଓ ପୁରୀ ,କଟକ, ଜଗତସିଂହପୁର,କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ।ଆସନ୍ତାକାଲି ଉପକୂଳବର୍ତ୍ତୀ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।