କିଛି ବର୍ଷ ପୂର୍ବରୁ ପୋଲିସ ସହିଦମାନଙ୍କର ତାଲିକା ସଂଖ୍ୟା ବହୁତ ଲମ୍ବା ରହୁଥିଲା । ବର୍ତ୍ତମାନ ପରିସ୍ଥିତିରେ ଦେଶରେ ସହିଦମାନଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ଘଟିଛି । ଦେଶର ସମସ୍ତ ସୁରକ୍ଷା ବାହିନୀ ତଥା ପୋଲିସ କର୍ମଚାରୀଙ୍କର ଅକ୍ଲାନ୍ତ ପରିଶ୍ରମ ଓ ସାହସ ଦ୍ୱାରା ଏହା ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ।
ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୬ ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଡିଜିପି ଖୁରାନିଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ସହିଦ ହୋଇଥିବା ବୀରମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପୋଲିସ ବାହିନୀ ପକ୍ଷରୁ ବୀର ଶହୀଦମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।
ଏହି ଅବସରରେ ଡିଜିପି କହିଛନ୍ତି ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ପୋଲିସ ସହିଦମାନଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି । ଦେଶର ସମସ୍ତ ସୁରକ୍ଷା ବାହିନୀ ତଥା ପୋଲିସ କର୍ମଚାରୀଙ୍କର ଅକ୍ଲାନ୍ତ ପରିଶ୍ରମ ଓ ସାହସ ଦ୍ୱାରା ଏହା ସମ୍ଭବ ହୋଇପାରିଛି । ଜମ୍ମୁ-କାଶ୍ମୀର, ପଞ୍ଜାବ, ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆମ ପୋଲିସ ଅଧିକାରୀ ଓ ଯବାନମାନେ ବୀରତ୍ୱର ସହିତ ଯୁଦ୍ଧ କରୁଛନ୍ତି । ଆମ ରାଜ୍ୟର ସାହସୀ ପୋଲିସ କର୍ମଚାରୀମାନଙ୍କର ବୀରତ୍ୱ ଯୋଗୁଁ, ଆମେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ସ୍ଥାପନ କରିପାରିଛୁ ଏବଂ ଆଗାମୀ ଦିନରେ ମଧ୍ୟ ଏହାର ପ୍ରୟାସ ଜାରି ରଖିବୁ ବୋଲି ଡିଜିପି କହିଛନ୍ତି ।
ଚଳିତ ବର୍ଷ ଭାରତ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ପୋଲିସ ବଳ ଓ ରାଜ୍ୟ ପୋଲିସର ୧୯୧ ଜଣ ଆରକ୍ଷୀ ପ୍ରାଣବଳି ଦେଇ ନିଜ ମାତୃଭୂମିକୁ ଗୌରବାନ୍ଵିତ କରିଛନ୍ତି । ଯେଉଁଥିରେ ଓଡିଶାରୁ ୨ ଜଣ ଅଛନ୍ତି । ସହିଦ ରାୟଗଡା ଜିଲ୍ଲାର ଆଇଆରବିର ଲକ୍ଷ୍ମଣ ମାଝୀ, କଟକର ଓଏପିଏଫ୍ ଲୋକନାଥ ଶବରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଉଭୟଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ସ୍ଵତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା । ଡିଜିପି ଖୁରାନିଆ ଶୋକସନ୍ତପ୍ତ ଉଭୟଙ୍କ ପରିବାର ବର୍ଗଙ୍କ ସହିତ ଭାବ ବିନିମୟ କରିବା ସହ ସମବେଦନା ଜ୍ଞାପନ କରିଥିଲେ । ଉଭୟଙ୍କ ତ୍ୟାଗ ଏବଂ ବଳିଦାନ ରାଜ୍ୟ ପୋଲିସ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ଡିଜିପି କହିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ କ୍ରାଇମବ୍ରାଞ୍ଚ ଡିଜିପି ବିନୟ ତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ, ଆଣ୍ଟି ନକ୍ସଲ ଅପରେସନ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହିଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l