ଭୁବନେଶ୍ୱର : ଦୀପାବଳୀ ପାଳନ ପରେ ବଦଳିଲା ଟ୍ବିନ୍ ସିଟିର ପରିବେଶ। ଯୁଆଡ଼େ ଦେଖିବ ସିଆଡେ ଧୂଆଁମୟ ପରିବେଶ। ଦୀପାବଳି ପାଳନ ପରେ ଭୁବନେଶ୍ୱର ସମେତ କଟକରେ ପ୍ରଦୂଷଣର ମାତ୍ରା ବଢିଯାଇଛି। କାରଣ ଗତକାଲି ସନ୍ଧ୍ୟା ପରଠାରୁ ବାୟୁ ଗୁଣବତ୍ତା ସ୍ତର ବଢିଯାଇଛି। ପ୍ରବଳ ବାଣଫୁଟାଇବା ଯୋଗୁଁ ଖସିଛି ଭୁବନେଶ୍ବର-କଟକ ଏୟାର କ୍ବାଲିଟି ଇନଡେକ୍ସ । ରାତି ୯.୩୦ ସୁଦ୍ଧା ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୬୫୭ ଛୁଇଁଥିଲା। ରସୁଲଗଡ଼, ବରମୁଣ୍ଡା ଏବଂ ପଟିଆ ଭଳି ଅଞ୍ଚଳଗୁଡ଼ିକ ବାଣ ଧୂଆଁରେ ପରିବେଶ ଆଚ୍ଛାଦିତ ହୋଇଥିଲା। ଲକ୍ଷ୍ମୀସାଗର ଅଞ୍ଚଳରେ ବାସିନ୍ଦାମାନେ ପ୍ରଦୂଷଣ ନିୟନ୍ତ୍ରଣ ମାନଦଣ୍ଡ ଏବଂ ପୋଲିସ କଟକଣାକୁ ଉଲ୍ଲଂଘନ କରିଛନ୍ତି। ଫଳରେ ଏଠାରେ AQI ୭୫୬ କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।
ଦୀପାବଳୀରେ କଟକଣା ସତ୍ବେ କିଛି ଅମାନିଆ ନିୟମକୁ ଫୁ କରି ଉଡାଇଥିଲେ । ଲୋକମାନେ ଅଣନିଶ୍ୱାସୀ ହେଉଥିବା ନେଇ ସ୍ୱୀକାର କରୁଥିବା ସତ୍ତ୍ବେ ଦୀପାବଳିରେ ବାଣ ଫୁଟେଇ ଦୀପାବଳୀ ମନାଉଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି ମିଳିଥିଲା। ରାତି ୯ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଥିଲା କମିଶନରେଟ ପୋଲିସ । ତଥାପି ସବୁ କଟକଣାକୁ ଫୁ କରି ବାଣ ଫୁଟାଇ ଥିଲେ ଅନେକ ଅମାନିଆ । ବିଳମ୍ବିତ ରାତି ଯାଏ ଫୁଟିଥିଲା ବାଣ । ଯାହା ବାୟୁମଣ୍ଡଳକୁ ପ୍ରଦୂଷଣ କରିଛି ।
ଆଜି ଭୁବନେଶ୍ବରରେ ବାୟୁ ଗୁଣବତ୍ତା ସୂଚକାଙ୍କ ( AIR QUALITY INDEX )୧୮୦କୁ ପାର୍ କରିଛି, ଯାହା ସ୍ବାସ୍ଥ୍ୟପକ୍ଷେ ହାନିକାରକ। କଟକରେ ମଧ୍ଯ ୧୯୦ ପାର୍ କରିଛି । ପୁରୀରେ ବି ବିଗିଡ଼ିଛି ପରିବେଶ। ସବୁଠି ସମାନ ସ୍ଥିତି ଦେଖାଦେଇଛି। ସାଧାରଣତଃ ୧୦୦ ଉପରେ ଏକ୍ୟୁଆଇ କୁ ବିପଦ ବୋଲି କୁହାଯାଇଥାଏ । ବାୟୂମଣ୍ଡଳରେ ଧୂଳିକଣା ବଢିଲେ ଶ୍ବାସକ୍ରିୟା ଜନିତ ସମସ୍ୟା ସୃଷ୍ଟି ସହ ଚର୍ମ ରୋଗ ହେବାର ସମ୍ଭାବନା ରହିଥାଏ ।