ଭୁବନେଶ୍ୱର: କମିଶନରେଟ୍ ଟ୍ରାଫିକ୍ ପୋଲିସ କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟାର ଅଭିଯୁକ୍ତ ଦୀପକ ରାଉତକୁ ଜେରା କରାଯାଇଛି । ଖୁଣ୍ଟୁଣୀ ଥାନା ପୋଲିସ ଝରାପଡ଼ା ଜେଲାରେ ଦୀପକକୁ ପ୍ରାୟ ତିନି ଘଣ୍ଟା ଧରି ପ୍ରଶ୍ନବାଣରେ ଘାଣ୍ଟିଛି । ଦୀପକଙ୍କ ପୂର୍ବତନ ପତ୍ନୀ ସ୍ୱର୍ଗତ ଅପର୍ଣ୍ଣା ପ୍ରିୟଦର୍ଶିନୀ ରାଉତଙ୍କ ମୃତ୍ୟୁ ମାମଲାର ଫାଇଲକୁ ଖୁଣ୍ଟୁଣୀ ଥାନା ପୋଲିସ ରିଓପନ୍ କରି ହତ୍ୟା ମାମଲା ରୁଜୁ କରିଛି ।
୨୦୨୨, ମାର୍ଚ୍ଚ ୧୭ରେ ଖୁଣ୍ଟୁଣୀରେ ଅପର୍ଣ୍ଣାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୀପକ କହିଥିଲା । ଭୁବନେଶ୍ଵରରୁ ଢେଙ୍କାନାଳ ଯିବାବେଳେ ତାଙ୍କର କାର୍ ପଙ୍କଚର୍ ହୋଇଥିଲା । କାରରୁ ବାହାରି ଛିଡ଼ା ହୋଇଥିବାବେଳେ ଏକ ଟ୍ରକ୍ ଅପର୍ଣ୍ଣାଙ୍କୁ ଧକ୍କା ଦେଇଥିଲା ଏବଂ ଅପର୍ଣ୍ଣା ଗୁରୁତର ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୀପକଙ୍କ ମନ ଗଢ଼ା କାହାଣୀକୁ ଅପର୍ଣ୍ଣାଙ୍କ ପରିବାର ଲୋକ ବିଶ୍ୱାସ କରିନେଇଥିଲେ । ଯାହା ପରେ ଅପର୍ଣ୍ଣାଙ୍କ ନାଁରେ ଥିବା କୋଟିଏ ଟଙ୍କାର ବୀମା ରାଶି ଦୀପକଙ୍କୁ ମିଳିଥିଲା । କିନ୍ତୁ ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରାଙ୍କ ହତ୍ୟାପରେ ଅପର୍ଣ୍ଣାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘନୀଭୂତ ହୋଇଥିଲା । ଏହା ଦୁର୍ଘଟଣା ନୁହେଁ ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ଅପୂର୍ଣ୍ଣାଙ୍କ ବାପ ଘର ଲୋକେ ଅଭିଯୋଗ ଆଣିଥିଲେ ।
ଗତମାସ ୬ ତାରିଖରେ କନଷ୍ଟେବଳ ଶୁଭମିତ୍ରା ନିଖୋଜ ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ସେପ୍ଟେମ୍ବର ୧୭ ତାରିଖରେ ଅଭିଯୁକ୍ତ ଦୀପକ ଧରାପଡ଼ିବା ପରେ ଶୁଭମିତ୍ରାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ଭୁବନେଶ୍ୱରରେ ତଣ୍ଟି ଚିପି ହତ୍ୟା କରିବା ପରେ କେନ୍ଦୁଝର ଘଟଗାଁ ଅଞ୍ଚଳରେ ଦୀପକ ମୃତଦେହକୁ ପୋତିଥିଲା । ସେଠାରୁ ଶୁଭମିତ୍ରାଙ୍କ ଗଳିତ ମୃତ୍ୟ ଦେହକୁ ଉଦ୍ଧାର କରାଯାଇଥିଲା । କୋଡ଼ିଏ ଲକ୍ଷ ଟଙ୍କା ପାଇଁ ହତ୍ୟା କରାଯାଇଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ।