ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯାହାର ପ୍ରଭାବରେ ରାଜ୍ୟରେ ଆଜିଠୁ ଆସନ୍ତା ୫ରୁ ୭ ଦିନ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷାରୁ ନିସ୍ତାର ନାହିଁ। ଏହାକୁ ଦୃଷ୍ଟିରେ ରଖି ୨୦ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କାରଣ ଏହି ବର୍ଷା ଆସନ୍ତା ସପ୍ତାହେ ଧରି ଲାଗି ରହିବା ସହିତ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି।
ଅନ୍ୟପଟେ ବାତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି । ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଇଛି । ଏପର୍ଯ୍ୟନ୍ତ ସେନେଇ IMD DG ମୃତ୍ୟୁଞ୍ଜୟ ମହାପାତ୍ର କୌଣସି ଆକଳନ କରିନଥିବା ସ୍ପଷ୍ଟ କରିଛନ୍ତି । ଲଘୁଚାପରେ ପରିଣତ ହେବା ପରେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ଆକଳନ କରାଯାଇପାରିବ ବୋଲି କୁହାଯାଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।