କେନ୍ଦୁଝର: ଦୀପାବଳିରେ ଟିକିଏ ଅସାବଧାନତା ପାଇଁ ସବୁ କିଛି ଛାରଖାର ହୋଇଯାଉଛି । କେଉଁଠି କାହାର ହାତ ପୋଡ଼ି ଗଲାଣି ତ ଆଉ କେଉଁଠି ନିରୀହ ପଶୁଙ୍କ ଜୀବନ ଚାଲିଯାଉଛି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଆମ୍ବଗଡ଼ିଆ ଗାଁରେ ବାଣ ନିଆଁରୁ ଜଣଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି । କୋଦଣ୍ଡଧର ପଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଫଳରେ ୫ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବାଣ ନିଆଁ ପଡ଼ି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ସେହିପରି ବାଲେଶ୍ଵର ଜିଲ୍ଲା ସୋର ଥାନା ଅଧୀନ ଗୋବିନ୍ଦପୁର ଗାଁରେ ବାଣ ଫୁଟି ଜଣକଙ୍କ ହାତ ପାପୁଲି କ୍ଷତିଗ୍ରସ୍ତ ହୋଇଛି । ଗୁରୁତର ବାବୁ ମହାନ୍ତିଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଚିକିତ୍ସାଧୀନ ଅଛନ୍ତି ।
ଅନ୍ୟପକ୍ଷରେ ପାରାଦୀପ ଷଣ୍ଢକୁଦ ବସ୍ତିରେ ମଧ୍ୟ ସମାନ ଘଟଣା ଘଟିଛି । ଜଣଙ୍କ କାନକୁ ଶୁଭୁ ନଥିବାବେଳେ ଜଣଙ୍କ ହାତ ପୋଡ଼ି ଯାଇଛି । ଷଣ୍ଢକୁଦ ବସ୍ତିର ସମୀର ବେହେରା ଓ ଶୁଭନାଥ ମହାନ୍ତି ଗତକାଲି ସାଙ୍ଗମାନଙ୍କ ସହିତ ବାଣ ଫୁଟାଉଥିଲେ । ଏହି ସମୟରେ ଏକ ବାଣ ଲଗାଉଥିବାବେଳେ ଫୁଟି ଯିବାରୁ ସମୀରଙ୍କ ହାତ ପୋଡ଼ି ଯାଇଛି । ଶୁଭନାଥଙ୍କ କାନକୁ ମଧ୍ୟ ଶୁଭାଯାଉନାହିଁ । ଉଭୟଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସେହିପରି ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ଲାବାନ୍ୟଗଡ ନିକଟ ଶ୍ରୀଜଗନ୍ନାଥ କାଜୁ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତି ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲିଭେଇବା କାମରେ ଲାଗିଛନ୍ତି ଦମକଳ ବାହିନୀ । ଫଳରେ ଲକ୍ଷାଧିକ ଟଙ୍କାର କାଜୁ ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି଼ ନାହିଁ ।