ବାରିପଦା : ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗ ମିଳିଛି ବଡ ସଫଳତା। ଅବକାରୀ ବିଭାଗ ଅଧୀକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦେଶକ୍ରମେ ବେତନଟୀ ଅବକାରୀ ଥାନା ପକ୍ଷରୁ ମୋବାଇଲ ଟିମ ସହାୟତାରେ ବୈଶିଙ୍ଗା ଥାନା ଅଧୀନ ହାତୀଝୁରି ଗ୍ରାମରେ ଚଢ଼ାଉକରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ସହିତ ଅଭିଯୁକ୍ତକୁ ଗିରଫ କରାଯାଇଛି l ତେବେ ଏହି ମାମଲାର ମୁଖ୍ୟ କାର୍ପଟଦାର ଫେରାର ଅଛି l ଗିରଫ ଅଭିଯୁକ୍ତ ଯୁବକ ଜଣକ ହେଉଛି ସେହି ହାତୀଝୁରି ଗ୍ରାମର ପଦ୍ମଲୋଚନ ସିଂଙ୍କ ପୁଅ ବାପୁନି ଓରଫ ଧନଞ୍ଜୟ ସିଂ l
ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତ ଧନଞ୍ଜୟ ସିଂର ବୈଶିଙ୍ଗା ବଜାର ଜାତୀୟ ରାଜପଥ ପାର୍ଶ୍ୱରେ ଏକ ହୋଟେଲ ଥିବାବେଳେ ସେ ନକଲି ବିଦେଶୀ ମଦ କାରବାର କରୁଥିବା ନେଇ ଅବକାରୀ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା l ଏହାପରେ ବେତନଟୀ ଅବକାରୀ ଥାନା ଅଧିକାରୀ ପ୍ରଦୀପ କୁମାର ବେହେରା ମୋବାଇଲ ଟିମ୍ ସହାୟତାରେ ଅଭିଯୁକ୍ତ ଧନଞ୍ଜୟ ସିଂର ହାତୀଝୁରିସ୍ଥିତ ଘରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ଘରବାଡ଼ି ପଛରେ ମାଟିତଳେ ଲୁଚାଇ ରଖିଥିବା ବିପୁଳ ପରିମାଣର ନକଲି ବିଦେଶୀମଦ ଜବତ କରିଥିଲେ l ଅବକାରୀ ବିଭାଗ ସେଠାରୁ ଭାରତ ବାହାରେ ବିକ୍ରୟ ପାଇଁ ଥିବା ୫୪ଟି ବୋତଲରେ ଭର୍ତ୍ତି ୪୦ ଲିଟରରୁ ଊର୍ଦ୍ଧ୍ୱ ନକଲି ବିଷାକ୍ତ ବିଦେଶୀ ମଦ ଜବତ କରିଥିବା ବେଳେ ବିଭିନ୍ନ କମ୍ପାନିର ଦୁଇଶହ ପାଖାପାଖି ଖାଲି ମଦ ବୋତଲ ଜବତ କରିଛନ୍ତି l
ନଡପୁର ଉପକଣ୍ଠ କଇଁଫୁଲିଆ ଗ୍ରାମର ଯଦୁ ନାମକ ଯୁବକ ଏହି ନକଲି ବିଷାକ୍ତ ବିଦେଶୀମଦ ଯୋଗାଉଥିବା ନେଇ ଗିରଫ ଅଭିଯୁକ୍ତ ଧନଞ୍ଜୟ ଅବକାରୀ ବିଭାଗ ଆଗରେ କହିଛି l