ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଖୁବ ଶୀଘ୍ର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି ତଦନ୍ତ । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବ । ପୀତବାସଙ୍କ ହତ୍ୟା ମାମଲାରେ ବଡ଼ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ।
ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ହତ୍ୟାକାଣ୍ଡ ଘଟଣାକୁ ଦୀର୍ଘ ୧୬ ଦିନ ବିତିଗଲାଣି । ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପୋଲିସ ଜେରା କରିସାରିଲାଣି । ଏହା ସହିତ ରାଜ୍ୟ ବାହାରକୁ ଟିମ୍ ଯାଇଥିବାବେଳେ ସହରଠୁ ନେଇ ରାଜପଥ ଉପରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଛି । ତଥାପି ପୋଲିସ ଶେଷ ନିଷ୍ପତ୍ତିରେ ପହଁଚି ପାରୁନାହିଁ । ଗତକାଲି ଏବଂ ପୂର୍ବରୁ କିଛି ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବ ବୋଲି ଦକ୍ଷିଣାଞ୍ଚଳ ଆଇଜିଙ୍କ ପ୍ରତିକ୍ରିୟା ପରେ ତଦନ୍ତ ଶେଷ ଅନ୍ତିମ ପର୍ଯ୍ୟାୟରେ ପହଁଚିଥିବା ଅନୁମାନ କରାଯାଉଛି ।
ପ୍ରକାଶ ଯୋଗ୍ୟ, ଚଳିତ ମାସ ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ତାଙ୍କ ବାସଭବନରୁ ମାତ୍ର କେତେ ମିଟର୍ ଦୂରରେ ଗୁଳି କରି ହତ୍ୟା କରାଯାଇଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ପଏଣ୍ଟ ବ୍ଲାଙ୍କରୁ ଛାତିକୁ ଗୁଳି କରିଥିଲେ । ଫଳରେ ପୀତବାସଙ୍କର ମୃତ୍ୟୁ ହୋଇଥିଲା ।