ଜଗତସିଂହପୁର: ବିଜୁ ଜନତା ଦଳ ତାର ହୀନ ପ୍ରୟାସ ପାଇଁ ପୁଣି ଥରେ ପଦାରେ ପଡ଼ିଛି । ଏକ ପାରିବାରିକ କଳହକୁ ଦେଇଛି ରାଜନୈତିକ ରୂପ । ମିଥ୍ୟା ଅଭିଯୋଗ ଆଣି ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କରିଛି ବିଜେଡି।। ଦୀପାବଳୀ ଦିନ ଜଗତସିଂହପୁର ଥାନା ଆଳିପିଙ୍ଗଳ ପଟସରା ଅଞ୍ଚଳର ରଶ୍ମି ରଞ୍ଜିତା ପରିଡାଙ୍କୁ ଆକ୍ରମଣ ଘଟଣା ଏବେ ବେଶ ଚର୍ଚ୍ଚାରେ ରହିଛି । ବିଜେଡ଼ି ନେତ୍ରୀ ରଶ୍ମି ରଞ୍ଜିତାଙ୍କ ମରଣାନ୍ତକ ଆକ୍ରମଣ କରାଯିବାକୁ ନେଇ ତାତିଛି ବିଜେଡ଼ି । ସେପେଟେ ବିଜେଡ଼ିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗ୍ରାମବାସୀ । ଏହା ଏକ ପାରିବାରିକ ଝଗଡ଼ା ହୋଇଥିବାବେଳେ ବିଜେଡ଼ି ଏହାକୁ ରଙ୍ଗ ଦେଇ ମିଛ ପ୍ରଚାର କରୁଥିବାର କହିଛନ୍ତି ଗ୍ରାମର ଏକାଧିକ ମହିଳା ।
ଗ୍ରାମର ମହିଳାମାନଙ୍କ କହିବା ମୁତାବକ, ଦୀପାବଳିରେ ଘର ସମ୍ମୁଖରେ ବାଣ ଫୁଟାଇବାକୁ ବିରୋଧ କରିବାରୁ ଏଭଳି ଘଟଣା ଘଟିଛି । ଦୁଇ ପରିବାର ମଧ୍ୟରେ ଦୀର୍ଘ 5ବର୍ଷ ଝଗଡ଼ା ଲାଗିରହିଥିଲା । ପୂର୍ବରୁ ମଧ୍ୟ ଥାନାରେ ଏତଲା ଦିଆଯାଇଛି । ତେଣୁ ସାମ୍ବାଦିକ ସମ୍ମିଳନୀ କରି ଅପପ୍ରଚାର କରୁଥିବା ବିଜେଡ଼ି ନେତ୍ରୀମାନେ ନିଜେ ଗାଁକୁ ଆସି ପ୍ରକୃତ ଘଟଣା ସମ୍ବନ୍ଧରେ ତଦନ୍ତ କରି ନିଜର ମତ ରଖନ୍ତୁ ବୋଲି ଗ୍ରାମର ମହିଳାମାନେ କହିଛନ୍ତି।।
ଏଠାରେ ଉଲ୍ଲେଖ ଯୋଗ୍ୟ, ଦୀପାବଳି ରାତି ପ୍ରାୟ ୯ଟାରୁ ସାଢ଼େ ୯ଟା ଭିତରେ ଦୁଃଖୀଶ୍ୟାମ ରାଉତଙ୍କ ପତ୍ନୀ ରଶ୍ମିରଞ୍ଜିତାଙ୍କ ଘର ଆଗରେ ଅନିରୁଦ୍ଧ ରାଉତ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । କାହିଁକି ଗାଳିଗୁଲଜ କରୁଛ ବୋଲି ରଶ୍ମିରଞ୍ଜିତା ପଚାରିବାରୁ ତାଙ୍କୁ ଘୋଷାରି ଘୋଷାରି ଗାଁ ଦାଣ୍ଡରେ ଉଲଗ୍ନ କରି ଫିଙ୍ଗି ଦେଇଥିଲେ । ରଶ୍ମିଙ୍କ ମୁଣ୍ଡକୁ ଏକ କାଠ ଫାଳିଆରେ ଆକ୍ରମଣ କରାଯାଇଥିଲା । ରଶ୍ମିଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁରରେ ଭର୍ତ୍ତି କରାଯାଇଥିଲା । ତେବେ ବିଜେଡ଼ି ରାଜ୍ୟସଭା ସାଂସଦ ସୁଲତା ଦେଓ, ଛାତ୍ର ବିଜେଡି ସଭାପତି ଈପ୍ସିତା ସାହୁ, ଲେନିନ୍ ମହାନ୍ତି ଜଗତସିଂହପୁର ମେଡିକାଲରେ ପହଞ୍ଚି ଆହତ ମହିଳାଙ୍କୁ ଭେଟିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।