ପୁଣେ: ମହାରାଷ୍ଟ୍ରରେ ପୁଣେ ସହରର ଐତିହାସିକ ସ୍ଥଳ ଶନିବାର ବାଡାରେ ମୁସଲିମ ମହିଳା ନମାଜ ପାଠ କରିବାର ଭିଡିଓ ଭାଇରାଲ୍ ହୋଇଛି । ଏହାକୁ ନେଇ ପୁଣେରେ ଖୁବ୍ ହଙ୍ଗାମା ଦେଖିବାକୁ ମିଳିଛି । ଭିଡିଓ ସାମ୍ନାକୁ ଆସିବା ପରେ ହିନ୍ଦୁ ସଂଗଠନ ରବିବାର ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି । ବିଜେପିର ରାଜ୍ୟସଭା ସାଂସଦ ମେଧା କୁଲକର୍ଣ୍ଣି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରି ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଐତିହାସିକ ସ୍ଥଳ ପ୍ରତି ଏହା ଅପମାନ ବୋଲି ରାଜ୍ୟସଭା ସାଂସଦ କହିଥିଲେ ।
ପୁଣେ ସ୍ଥିତ ଶନିବାର ବାଡାର ଉପର ମହଲାରେ ଛଅରୁ ସାତ ମୁସଲିମ ମହିଳା ବିଛଣା ବିଛାଇ ନମାଜ ପଢୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଏହାର ପାଖପାଖରେ ପର୍ଯ୍ୟଟକ ବୁଲୁଛନ୍ତି । ଏହି ଭିଡିଓ ଭାଇରାଲ୍ ହେବା ମାତ୍ରେ ବିତର୍କ ଆରମ୍ଭ ହୋଇ ଯାଇଛି । ଏହାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି । ଭାରତୀୟ ପ୍ରତ୍ନତତ୍ୱ ବିଭାଗର ଜଣେ ଅଧିକାରୀ ପୁଣେ ସିଟି ପୋଲିସରେ ଏ ନେଇ ଅଭିଯୋଗ କରିଛନ୍ତି ।
ଋବିବାର ବିଜେପି ସାଂସଦ ଶତାଧିକ ଲୋକଙ୍କ ସହ ବିରୋଧ ପ୍ରଦର୍ଶନ କରିବା ସହ ଶନିବାର ବାଡା ପହଞ୍ଚିଥିଲେ । ଏଥିରେ ପତିତ ପାବନ ସଂଗଠନ ଓ ହିନ୍ଦୁ ସକଲ ସମାଜ ବି ସାମିଲ ଥିଲେ । ଉକ୍ତ ସ୍ଥାନକୁ ଗୋମୂତ୍ର ସିଞ୍ଚନ କରି ଶିବ ବନ୍ଦନା ପାଠ କରି ଶୁଦ୍ଧି କରଣ କରାଯାଇଥିଲା । ଐତିହାସିକ କିଲ୍ଲାର ଶୁଦ୍ଧିକରଣ କରାଯିବାର ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଏହାକୁ ନେଇ ବଡ ରାଜନୈତିକ ବିବାଦ ଆରମ୍ଭ ହୋଇଛି । କ୍ଷମତାସୀନ ଏନଡିଏ ମେଣ୍ଟରେ ସାମିଲ ଦୁଇ ଦଳ ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ସାଂସଦ ମେଧା କୁଲକର୍ଣ୍ଣିଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରିଛନ୍ତି ।
Also read: ଶୈବପୀଠରେ ହୃଦ୍ଘାତରେ ମୃତ୍ୟୁ ପୂର୍ବରୁ ଭକ୍ତ ଲେଖିଥିଲେ- ଆମର ନିଶ୍ୱାସ ଧାର ନିଆଯାଇଛି, ଆମେ କେବଳ ଭଡାଟିଆ