ନୂଆଦିଲ୍ଲୀ: ଏସିଆ କପ୍ ଟ୍ରଫି ବିବାଦ ଏ ପର୍ଯ୍ୟନ୍ତ ସମାଧାନ ହୋଇ ପାରିନି । ଭାରତୀୟ ଦଳ ସେପ୍ଟେମ୍ବର ୨୮ରେ ପାକିସ୍ତାନକୁ ହରାଇ ଏସିଆ କପ୍ ୨୦୨୫ ଟାଇଟଲ୍ ଜିତିଥିଲା । ହେଲେ ଭାରତକୁ ଏ ପର୍ଯ୍ୟନ୍ତ ଟ୍ରଫି ମିଳିନାହିଁ । ବିସିସିଆଇ ଗତ ସପ୍ତାହରେ ଏସିସିକୁ ଚିଠି ଲେଖି ଭାରତକୁ ଟ୍ରଫି ଦେବାକୁ କହିଥିଲା । ବିସିସିଆଇ ଚେତାବନୀ ଦେଇଥିଲା ଯେ, ଯଦି ଟ୍ରଫି ପ୍ରଦାନ କରା ନ ଯାଏ ତେବେ ଆସନ୍ତା ମାସରେ ହେବାକୁ ଥିବା ଆଇସିସି ବୈଠକରେ ଏହି ପ୍ରସଙ୍ଗ ଉଠାଯିବ । ବିସିସିଆଇର ଏହି ଚେତାବନୀ ପରେ ଏସିସି ମୁଖ୍ୟ ମୋହସିନ ନକଭିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ବିସିିସିଆଇର ଅଧିକାରୀ କିମ୍ବା ପ୍ରତିନିଧିଙ୍କୁ ଦୁବାଇ ସ୍ଥିତ ଏସିସି ମୁଖ୍ୟାଳୟ ଆସି ଟ୍ରଫି ନେବାକୁ ପଡିବ ।
ସୂଚନାଯୋଗ୍ୟ, ଭାରତୀୟ ଦଳ ଏସିଆ କପ୍ ଜିତିବା ପରେ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନା କରି ଦେଇଥିଲେ । ନକଭି ଏସିସି ମୁଖ୍ୟ ହେବା ସହ ପିସିବି ଅଧ୍ୟକ୍ଷ ମଧ୍ୟ । ଏପରିକି ସେ ପାକିସ୍ତାନର ଗୃହ ମନ୍ତ୍ରୀ ବି । ସେ ସର୍ବଦା ଭାରତ ବିରୋଧୀ ବୟାନ ଦେଇ ଆସିଛନ୍ତି । ଏସିଆ କପ୍ ସମୟରେ ସେ ସୋସିଆଲ ମିଡିଆରେ ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତର ସୈନ୍ୟ କାର୍ଯ୍ୟାନୁଷ୍ଠାନର ପରିହାସ କରି ଭିଡିଓ ଓ ମିଦ୍ସ ସେୟାର କରିଥିଲେ । ପିଟିଆଇ ଅନୁସାରେ, ବିସିିସିଆଇ ପତ୍ରର ଉତ୍ତରରେ ନକଭି କହିଛନ୍ତି ଯେ, ତାଙ୍କୁ ଅବଗତ କରାଯାଇ ନ ଥିଲା ଯେ, ଭାରତୀୟ ଖେଳାଳି ତାଙ୍କ ହାତରୁ ଟ୍ରଫି ଗ୍ରହଣ କରିବେ ନାହିଁ ।
ନକଭି ନିଜ ପତ୍ରରେ କହିଛନ୍ତି ଯେ, ଯେବେ ସମାରୋହ ହେବାର ଥିଲା, ମଞ୍ଚରେ ସମସ୍ତ ଅତିଥି ପହଞ୍ଚି ଯାଇଥିଲେ । ସେହି ସମୟରେ ବିସିସିଆଇର ପ୍ରତିନିଧି ଜଣାଇଥିଲେ ଯେ, ଭାରତୀୟ ଦଳ ନକଭିଙ୍କ ହାତରୁ ଏସିଆ କପ୍ ଟ୍ରଫି ଓ ପୁରସ୍କାର ଗ୍ରହଣ କରିବେ ନାହିଁ । ଏଥିରେ କୁହାଯାଇଛି ଯେ, ଏସିସି ମୁଖ୍ୟ ସମସ୍ତ ଅତିଥିଙ୍କ ସହ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ମଞ୍ଚରେ ଅପେକ୍ଷା କରି ରହିଲେ । ଯଦ୍ୱାରା ପୁରସ୍କାର ବିତରଣ ସମାରୋହର ଗାରିମା ବଜାୟ ରହିବ ଏବଂ ଏହା ଉପରେ ରାଜନୈତିକ ପ୍ରଭାବ ନ ପଡିବ । ମାତ୍ର କୌଣସି ଫାଇଦା ହେଲା ନାହିଁ । ଏସିସି ଟ୍ରଫି ଭାରତୀୟ ଦଳର । ଟ୍ରଫିକୁ ସେ ପର୍ଯ୍ୟନ୍ତ ଏସିସି ମୁଖ୍ୟାଳୟରେ ରଖାଯିବ ଯେ ପର୍ଯ୍ୟନ୍ତ ବିସିସିଆଇର କୌଣସି ପଦାଧିକାରୀ କିମ୍ବା ଖେଳାଳି ଏସିସି ଅଧ୍ୟକ୍ଷଙ୍କଠୁ ଟ୍ରଫି ନ ନେଇଛନ୍ତି ।
Also read: ଗାଜାରେ ଭୀଷଣ ହମଲା, ୧୫୩ ଟନ ବୋମା ବର୍ଷଣ କଲା ଇସ୍ରାଏଲ