ଆଡିଲେଡ: ହିଟମ୍ୟାନ ରୋହିତ ଶର୍ମା ଅଷ୍ଟ୍ରେଲିଆରେ ରଚିଛନ୍ତି ଏକ ବଡ ଇତିହାସ । ରୋହିତ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆରେ ହଜାରେ ରନ ପୂରଣ କରିବାରେ ପ୍ରଥମ ଏବଂ ଏକମାତ୍ର ଭାରତୀୟ କ୍ରିକେଟର ହେବାର ଉପଲବ୍ଧି ହାସଲ କରିଛନ୍ତି । ଏହି ସଫଳତା ଦୁନିଆର କେବଳ ୫ ବ୍ୟାଟର ହାସଲ କରିଛନ୍ତି । ଏଥିରେ ରହିଛି ରୋହିତ ଶର୍ମାଙ୍କ ନାଁ । ଆଡିଲେଡ ଦିନିିକିଆରେ ଯେମିତି ରୋହିତ ଦୁଇ ରନ କଲେ ସେ ଅଷ୍ଟ୍ରେଲିଆ ମାଟିରେ ଦିନିକିଆ କ୍ରିକେଟରେ ୧୦୦୦ ରନ ପୂରଣ କଲେ ।
ରୋହିତ ପ୍ରଥମ ମ୍ୟାଚରେ ୮ ରନ କରିଥିଲେ । ହେଲେ ଦ୍ୱିତୀୟ ମ୍ୟାଚରେ ରୋହିତ ୭୩ ରନର ଦମଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ରୋହିତଙ୍କ ବ୍ୟତୀତ ଆଉ ଦୁଇ ଜଣ ଏସୀୟ ବ୍ୟାଟର ଏହି ଉପଲବ୍ଧି ହାସଲ କରିଛନ୍ତି । ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ଓ ମହେଲା ଜୟବର୍ଦ୍ଧନେଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜର ମହାନ ବ୍ୟାଟର ସାର ଭିଭିୟାନ ରିଚାଡର୍ସ ଓ ଡେସମଣ୍ଡ ହେନ୍ସ ଏହି କ୍ଲବରେ ସାମିଲ୍ ।
ଏହା ବାଦ୍ ରୋହିତ ଶର୍ମା ଏକ ରନ କରିବା ମାତ୍ରେ ସୌରଭ ଗାଙ୍ଗୁଲିଙ୍କ ଦିନିକିଆ ରନକୁ ଅତିକ୍ରମ କରିଛନ୍ତି । ଦିନିକିଆ କ୍ରିକେଟରେ ଓପନର ଭାବେ ଗାଙ୍ଗୁଲି ୯ ହଜାର ୧୪୬ ରନ କରିଥିଲେ । ଆଉ ରୋହିତ ଶର୍ମା ତାଙ୍କୁ ପଛରେ ପକାଇଛନ୍ତି । ଗତ ମ୍ୟାଚରେ ରୋହିତ ଶର୍ମା ୫୦୦ତମ ଦିନିକିଆ ମ୍ୟାଚ୍ ଖେଳିଥିଲେ । ଏମିତି କରିବାରେ ସେ ଭାରତର ପଞ୍ଚମ ଖେଳାଳି ହୋଇଥିଲେ । ତେବେ ଆଜିର ମ୍ୟାଚରେ ରୋହିତ ୭୩ ରନର ଇନିଂସ ଖେଳି ଭାରତକୁ ମୁସ୍କିଲ ସ୍ଥିତିରୁ ଉଦ୍ଧାର କରିଛନ୍ତି ।