ଆଡିଲେଡ: ଏଠାରେ ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ବ୍ୟାଟର ନିଜର ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି । ତଥାପି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ୱିକେଟ ହରାଇ ୨୬୪ ରନ କରିଛି । ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୭୩ ରନ କରିଥିବା ବେଳେ ଶ୍ରେୟସ ଆୟର ୬୧ ରନ ଓ ଅକ୍ଷର ପଟେଲ୍ ୪୪ ରନ କରିଛନ୍ତି । ଅଷ୍ଟ୍ରେଲିଆ ସମ୍ମୁଖରେ ରହିଛି ୨୬୫ ରନର ବିଜୟ ଲକ୍ଷ୍ୟ । ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ଆଡମ ଜାମ୍ପା ୪ ୱିକେଟ୍ ଓ ଜାଭିଏର ବାର୍ଟଲେଟ୍ ୩ ୱିକେଟ ନେଇଛନ୍ତି ।
ଭାରତ ଲଗାତାର ୧୭ତମ ଥର ଟସ୍ ହାରି ବ୍ୟାଟିଂ କରିଥିଲା । ଭାରତର ଆରମ୍ଭ ନିରାଶଜନକ ଥିଲା । ଭାରତ ୧୭ ରନ ସ୍କୋରରେ ଦୁଇଟି ୱିକେଟ୍ ହରାଇଥିଲା । ଅଧିନାୟକ ଶୁଭମନ ଗିଲ୍ ୯ ରନ କରି ଆଉଟ୍ ହୋଇଥିଲେ । ବିରାଟ କୋହଲି ପୁଣି ଥରେ ଖାତା ଖୋଲି ପାରି ନ ଥିଲେ । ଏହା ପରେ ରୋହିତ ଓ ଶ୍ରେୟସ ଆୟର ମୋର୍ଚ୍ଚା ସମ୍ଭାଳିଥିଲେ । ତେବେ ଆରମ୍ଭରୁ ରୋହିତଙ୍କୁ ବ୍ୟାଟିଂରେ ସଂଘର୍ଷ କରିବାକୁ ପଡିଥିଲା । ଦୀର୍ଘ ବର୍ଷ ପରେ ରୋହିତଙ୍କୁ ରକ୍ଷଣାତ୍ମକ ରୂପରେ ଦେଖିବାକୁ ମିଳିଥିଲା । ହେଲେ ସେଟ୍ ହେବା ପରେ ରୋହିତ ଓ ଶ୍ରେୟର ଦ୍ରୁତ ରନ କରିଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୧୧୮ ରନ ଯୋଡି ଭାରତର ସ୍ଥିତି ମଜବୁତ କରିଥିଲେ । ଏହି କ୍ରମରେ ରୋହିତ ଓ ଶ୍ରେୟସ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ ।
ଭାରତର ୧୩୫ ରନ ସ୍କୋରରେ ରୋହିତ ବଡ ସଟ୍ ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ । ସେ ୯୭ ବଲରୁ ୭ ଚୌକା ଓ ୨ ଛକା ସହ ୭୩ ରନ କରିଥିଲେ । ଏହା ପରେ ଶ୍ରେୟସ ଆୟର ୬୧ ରନର ଇନିଂସ ଖେଳି ପାଭିଲିୟନ ଫେରିଥିଲେ । ତେବେ ନିମ୍ନ ମଧ୍ୟକ୍ରମରେ ଭାରତ ଶୀଘ୍ର ୱିକେଟ୍ ହରାଇଥିଲା । କେଏଲ ରାହୁଲ ୧୧ ରନ ଓ ୱାଶିଂଟନ ସୁନ୍ଦର ୧୨ ରନ କରି ନିରାଶ କରିଥିଲେ କିନ୍ତୁ ଅକ୍ଷର ପଟେଲ୍ ପୁଣି ଥରେ ଭଲ ବ୍ୟାଟିଂ କରିଥିଲେ । ସେ ୪୧ ବଲରୁ ୪୪ ରନର ଉପଯୋଗୀ ରନ କରିଥିଲେ । ତେବେ ନିମ୍ନକ୍ରମରେ ହର୍ଷିତ ରାଣା ବିସ୍ଫୋରକ ଅପରାଜିତ ୨୪ ରନ କରିବାରୁ ଭାରତ ୨୬୪ ରନରେ ପହଞ୍ଚି ପାରିଥିଲା । ଅର୍ଶଦୀପ ସିଂ ମଧ୍ୟ ୧୩ ରନ କରିଥିଲେ ।