ସିଡନୀ: ଟିମ୍ ଇଣ୍ଡିଆ ଶେଷ ଥର ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ କେବେ ଟସ୍ ଜିତିଥିଲା ? ଏହାର ଉତ୍ତର ଖୋଜିଲେ ଆପଣ ପାଇବେ ଯେ ପ୍ରାୟ ଦୁଇ ବର୍ଷ ହେବ ଭାରତ ଦିନିକିଆ କ୍ରିକେଟରେ ଟସ୍ ଜିତି ନାହିଁ । ୨୩ ବିତି ସାରିଛି, ୧୮ ଦିନିକିଆ ମ୍ୟାଚ୍ ଭାରତ ଖେଳି ସାରିଛି ଏବଂ ଅଧିନାୟକ ବି ବଦଳି ସାରିଛି । ତଥାପି ଭାରତୀୟ ଦଳର ଭାଗ୍ୟ ବଦଳିବାର ନାଁ ଧରୁନି । ଟସ୍ ହାରିବାର ଅଲୋଡା ବିଶ୍ୱ ରେକର୍ଡକୁ ଭାରତ ମଜବୁତ କରି ଚାଲିଛି ।
ସୂନଚାଯୋଗ୍ୟ, ଟିମ୍ ଇଣ୍ଡିଆ ଶେଷ ଥର ଦିନିକିଆ ମ୍ୟାଚରେ ଟସ୍ ୨୦୨୩ ବିଶ୍ୱକପ୍ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ୍ ମ୍ୟାଚରେ ଜିତିଥିଲା । ଏବେ ୨୦୨୫ ଅକ୍ଟୋବର ୨୫, ମାତ୍ର ତେବେଠୁ ଏ ପର୍ଯ୍ୟନ୍ତ ଭାରତୀୟ ଦଳ ଦିନିକିଆରେ ଟସ୍ ବି ଜିତି ପାରିନି । ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ସମସ୍ତ ମ୍ୟାଚରେ ଦଳ ଟସ୍ ହାରିଛି ।
ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟସ୍ ହାରିବାର ଧାରା ଆରମ୍ଭ ହୋଇଥିଲା, ଯାହା ଏବେ ଶୁଭମନ ଗିଲଙ୍କ ନେତୃତ୍ୱରେ ବି ଜାରି ରହିଛି । ରୋହିତ ୧୫ଟି ଦିନିକିଆ ମ୍ୟାଚରେ ଲଗାତାର ଟସ୍ ହାରିଥିବା ବେଳେ ଗିଲ୍ ତିନୋଟି ମ୍ୟାଚରେ ଟସ୍ ହାରି ସାରିଲେଣି । କିନ୍ତୁ ଗୋଟିଏ ଭଲ କଥା ଏହି ସମୟରେ ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତି ପାରିଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଭାରତ ଗୋଟିଏ ବି ମ୍ୟାଚରେ ଟସ୍ ଜିତି ପାରିନି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଲଗାତାର ୧୮ ଥର ଟସ୍ ହାରିବାର ଅର୍ଥ ଯଦି ଆପଣ ଅଢେଇ ଲକ୍ଷ ଥର ଟସ୍ ପକାଇବେ ତେବେ ବି ଏମିତି ଲଗାତାର ୧୮ ଥର ଟସ୍ ହାରିବାର ସମ୍ଭାବନା କେବଳ ଥରୁଟିଏ ଆସିଥାଏ । ଦିନିକିଆ କ୍ରିକେଟରେ ଲଗାତାର ସବୁଠୁ ଅଧିକ ଥର ଟସ୍ ହାରିବାର ରେକର୍ଡ ଆୟରଲାଣ୍ଡ ନାମରେ ଥିଲା, ଯିଏ ଦିନିକିଆରେ ୧୧ ଥର ଟସ୍ ହାରିଥିଲା । ମାତ୍ର ଭାରତ ୧୮ ଥର ଟସ୍ ହାରି ସାରିଛି ।
Also read: ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳରେ ବଡ ପରିବର୍ତ୍ତନ, ମ୍ୟାକ୍ସୱେଲଙ୍କ ପ୍ରତ୍ୟାବର୍ତ୍ତନ