ସିଡନୀ: ପ୍ରଥମ ଦୁଇଟି ଦିନିକିଆ ହାରିବା ପରେ ଭାରତ ଆଜି ତୃତୀୟ ଦିନିକିଆରେ ଫର୍ମରେ ନଜର ଆସିଛି । ଦଳର ବୋଲରଙ୍କ ଚମତ୍କାର ବୋଲିଂ କାରଣରୁ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ବଡ ସ୍କୋର କରିବାକୁ ଦେଇନି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୨୩୬ ରନରେ ଅଲଆଉଟ୍ ହୋଇଛି । କଙ୍ଗାରୁ ଦଳ ପକ୍ଷରୁ ମ୍ୟାଟ ରେନଶ ସର୍ବାଧିକ ୫୬ ରନ କରିଥିବା ବେଳେ ମିଚେଲ୍ ମାର୍ଶ ୪୧ ରନ କରିଛନ୍ତି । ଭାରତ ସମ୍ମୁଖରେ ରହିଛି ୨୩୭ ରନର ବିଜୟ ଲକ୍ଷ୍ୟ । ହର୍ଷିତ ରାଣା ଆଜିର ମ୍ୟାଚରେ ଶାଣିତ ବୋଲିଂ କରି ୪ ୱିକେଟ୍ ନେଇଛନ୍ତି । ୱାଶିଂଟନ ସୁନ୍ଦରଙ୍କୁ ଦୁଇଟି ସଫଳତା ମିଳିଛି ।
ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଦୁଇ ଓପନର ମିଚେଲ୍ ମାର୍ଶ ଓ ଟ୍ରେଭିସ ହେଡ ଦମଦାର ଆରମ୍ଭ ଦେଇଥିଲେ । ଉଭୟ ଆରମ୍ଭରୁ ଭାରତୀୟ ବୋଲରଙ୍କ ଉପରେ ପ୍ର।।ଧ୍ୟାନ୍ୟ ବିସ୍ତାର କରି ଓପନିଂରେ ୬୧ ରନ ଯୋଡିଥିଲେ । ଟ୍ରେଭିସ ହେଡ ୨୯ ରନ କରି ମହମ୍ମଦ ସିରାଜଙ୍କ ବଲରେ ଆଉଟ୍ ହୋଇଥିଲେ । ଏହା ପରେ ଅଧିନାୟକ ମିଚେଲ୍ ମାର୍ଶଙ୍କୁ ବୋଲ୍ଡ କରି ଭାରତକୁ ବହୁତ ବଡ ସଫଳତା ଦେଇଥିଲେ ଅକ୍ଷର । ମାର୍ଶ୪୧ ରନ କରି ପାଭିଲିୟନ ଫେରିଥିଲେ । ଏହା ପରେ ମାଥ୍ୟୁ ସର୍ଟ ଓ ମ୍ୟାଟ୍ ରେନଶ ଦଳର ଇନିଂସ ଆଗକୁ ବଢାଇଥିଲେ । ଉଭୟ ୩ୟ ୱିକେଟ୍ ପାଇଁ ୩୬ ରନ ଯୋଡିଥିଲେ । ମାଥ୍ୟୁ ସର୍ଟ ୩୦ ରନ କରିଥିଲେ ।
ଅଷ୍ଟ୍ରେଲିଆର ମଧ୍ୟକ୍ରମର ବ୍ୟାଟରମାନେ ଭଲ ଆରମ୍ଭ କରିଥିଲେ ହେଁ ଭାରତୀୟ ବୋଲର ବଡ ସ୍କୋର କରିବାକୁ ଦେଇ ନ ଥିଲେ । ୩୩ ଓଭର ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସ୍ଥିତି ମଜବୁତ ଥିଲା । ଦଳ ୩ ୱିକେଟ୍ ହରାଇ ୧୮୦ ରନ କରି ସାରିଥିଲା । ଏହା ପରେ ଭାରତୀୟ ବୋଲର ଚମତ୍କାର ବୋଲିଂ କରି ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ । ମ୍ୟାଟ ରେନଶ ୫୬ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଆଲେକ୍ସ କେରି ୨୪ ଓ କୁପର କନୋଲି ୨୩ ରନ କରିଥିଲେ । ହର୍ଷିତ ରାଣା ଘାତକ ବୋଲିଂ କରି ନିମ୍ନକ୍ରମରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଏକଦା ୩୦୦ ସ୍କୋର ପାଖାପାଖି ରନ କରିବାକୁ ଲକ୍ଷ୍ୟ ରଖିଥିବା ଅଷ୍ଟ୍ରେଲିଆ ୨୩୬ ରନରେ ଅଲଅ।।ଉଟ୍ ହୋଇଛି ।
Also read: ୨୩ ମାସ, ୧୮ ଦିନିକିଆ ଓ ୨ ଅଧିନାୟକ... ତଥାପି ବଦଳିଲାନି ଟିମ୍ ଇଣ୍ଡିଆର ଭାଗ୍ୟ