ଭୁବନେଶ୍ୱର : ଆଜି ଗଭୀର ଅବପାତର ରୂପ ନେବ ‘ମୋନ୍ଥା’। ଗତ ୬ ଘଣ୍ଟାରେ ୮ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା ମୋନ୍ଥା। ଏହାପରେ ୨୮ ତାରିଖ ସଂଧ୍ୟାରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ପାଖାପାଖି ଅଞ୍ଚଳରେ ସ୍ଥଳଭାଗ ଛୁଇଁବ। ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏହାପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ ଏବଂ ସାମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ ନେଇ ଏହି ସୂଚନା ଦେଇଛି ପାଣିପାଗ ବିଭାଗ।
ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବ । ଝଟକାପବନର ବେଗ ୧୧୦କିମି ପର୍ଯ୍ୟନ୍ତ ବଢିପାରେ । ବର୍ତ୍ତମାନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ। ବାତ୍ଯାର ରୂପ ନେବା ପରେ ଏହାର ନାମ ମୋନ୍ଥା ରହିବ।
ତେବେ ବାତ୍ୟାରେ ପରିଣତ ହେବା ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ଉପକୂଳ ଆଡେ ମୁଂହାଇବ। ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୩ଦିନ ପ୍ରବଳ ବର୍ଷା ହେବ। ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୨୭ରୁ ୨୯ ଯାଏ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ବାତ୍ୟା ପ୍ରଭାବରେ ଆସନ୍ତାକାଲି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏପରିକି ୨୮ରୁ ବଢିବ ବର୍ଷାର ପରିମାଣ। ୨୮ ତାରିଖରେ ଅତିପ୍ରବଳ ବର୍ଷା ପାଇଁ ଦକ୍ଷିଣ ଓଡ଼ିଶାର ପାଞ୍ଚ ଜିଲ୍ଲା ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି ।
ଏହାସହିତ ଆସନ୍ତା ୨୯ ତାରିଖରେ ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ଅତିଭୀଷଣ ବର୍ଷା ପାଇଁ ରେଡ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳ ବର୍ଷା ପାଇଁ ୬ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ଏପରିକି ବାତ୍ୟାର ଗତି ବିଧିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ବାରଣ କରାଯାଇଛି।