ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ପାକିସ୍ତାନ ସରକାର ଆତଙ୍କବାଦୀ ଘୋଷିତ କରିଛି। ନିକଟରେ ସାଉଦି ଆରବରେ ଆୟୋଜିତ କାର୍ଯ୍ୟକ୍ରମରେ ସଲମାନ ଖାନ ବଲୁଚିସ୍ତାନକୁ ଏକ ଅଲଗା ଦେଶ ଦର୍ଶାଇବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ସଲମାନଙ୍କ ଏହି ବୟାନକୁ ନେଇ ପାକିସ୍ତାନ ସରକାର ଏବଂ ସେଠକାର ରାଜନୈତିକ ପାର୍ଟି ଘୋର ଅସନ୍ତୋଷ ପ୍ରକାଶ କରିଥିଲେ । ସଲମାନଙ୍କ ଏହି ବୟାନ ପରେ ଶେହବାଜ ସରକାର ଏକ ସରକାରୀ ଅଧିସୂଚନା ଜାରି କରି ପାକିସ୍ତାନର ଆତଙ୍କ ନିରୋଧୀ ଅଧିନିୟମ ଆଧାରରେ ସଲମାନ ଖାନଙ୍କୁ ଆତଙ୍କୀ ଘୋଷିତ କରିଛନ୍ତି । ଏହା ସହ ବଲିଉଡର ଏହି ସୁପରଷ୍ଟାରଙ୍କ ନାଁକୁ ପାକିସ୍ତାନ ଚତୁର୍ଥ ଅନୁଚ୍ଛେଦରେ ସାମିଲ୍ କରିଛି ।
କଣ ଏହି ପାକିସ୍ତାନର ଚତୁର୍ଥ ଅନୁଚ୍ଛେଦ ?
ପାକିସ୍ତାନର ଆତଙ୍କବାଦୀ ନିରୋଧୀ ଅଧିନିୟମ ୧୯୯୭ ଆଧାରରେ ଚତୁର୍ଥ ଅନୁଚ୍ଛେଦରେ ଆତଙ୍କବାଦୀ କିମ୍ବା ଚରମପନ୍ଥୀ ଗତିବିଧିରେ ସାମିଲ ସନ୍ଦିଗ୍ଧ ଲୋକଙ୍କୁ ରଖାଯାଏ । ଏହି ତାଲିକାରେ ଯେଉଁ ବ୍ୟକ୍ତିଙ୍କ ନାଁ ସାମିଲ ଥାଏ, ସେହି ଲୋକଙ୍କ ଉପରେ ପାକିସ୍ତାନରେ ଯାତ୍ରା କରିବା ଉପରେ କଟକଣା ଲାଗିଥାଏ । ଉକ୍ତ ବ୍ୟକ୍ତିଙ୍କ ସଂପତ୍ତି ଜବତା ହେବା ସହ କଡା ନିରୀକ୍ଷଣରେ ରଖାଯାଏ । ଏହି ନିୟମ କେବଳ ପାକିସ୍ତାନ ଭିତରେ ଲାଗୁ ହୋଇ ପାରିବ ।
କଣ ସଲମାନ ଖାନଙ୍କୁ ଗିରଫ କରି ପାରିବ ପାକ୍ ପୋଲିସ
ଉଲ୍ଲେଖନୀୟ ପାକିସ୍ତାନର ଆଇନ ପ୍ରବର୍ତ୍ତନ ଏଜେନ୍ସିର ଭାରତରେ କୌଣସି ଅଧିକାର ନାହିଁ । ପାକିସ୍ତାନରେ ସଲମାନ ଖାନଙ୍କୁ ଆତଙ୍କୀ ଘୋଷିତ କରି ଦେଲେ ବି ତାଙ୍କୁ ଭାରତୀୟ କ୍ଷେତ୍ରରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ପାକିସ୍ତାନ ପାଖରେ ନାହିଁ ।
ଯଦି ପାକିସ୍ତାନକୁ ସଲମାନ ଖାନଙ୍କ ବିରୋଧରେ କୌଣସି ବି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଅଛି ତେବେ ପ୍ରତ୍ୟର୍ପଣ ସନ୍ଧି କିମ୍ବା ମ୍ୟୁଚଲ ଲିଗାଲ ଆସିଷ୍ଟାଣ୍ଟ ଟ୍ରିଟି ଜରିଆରେ ସହଯୋଗ ନେବାକୁ ପଡିବ । ହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଏମିତି କୌଣସି ପ୍ରତ୍ୟର୍ପଣ ସନ୍ଧି ନାହିଁ । ତେଣୁ ପାକିସ୍ତାନ ସଲମାନ ଖାନଙ୍କ ବିରୋଧରେ ଏମିତି କୌଣସି କାର୍ଯ୍ୟାନୁଷ୍ଠାନ ନେବାର କୌଣସି ସମ୍ଭାବନା ନାହିଁ ।
କଣ କହୁଛି ଅନ୍ତର୍ଜାତୀୟ ଆଇନ ?
ଅନ୍ତର୍ଜାତୀୟ ଆଇନ ଅନୁଯାୟୀ, ସୀମାପାର ଗିରଫ କେବଳ ଇଣ୍ଟରପୋଲ୍ ରେଡ୍ ନୋଟିସ୍ ଭଳି ସରକାରୀ ଆଇନଗତ ବ୍ୟବସ୍ଥା ମାଧ୍ୟମରେ କରାଯାଇପାରିବ। ଗିରଫ କେବଳ ଆତଙ୍କବାଦ କିମ୍ବା ଯୁଦ୍ଧ ଅପରାଧ ଭଳି ଗୁରୁତର ବିଶ୍ୱ ଅପରାଧ ମାମଲାରେ କରାଯାଇପାରିବ। ଏହା ବ୍ୟତୀତ, କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ବିଶ୍ୱସନୀୟ ପ୍ରମାଣ ଉପସ୍ଥାପନ କରାଯିବା ଆବଶ୍ୟକ। ସଲମାନ ଖାନଙ୍କ କ୍ଷେତ୍ରରେ, ପାକିସ୍ତାନର ଘୋଷଣା କେବଳ ଏକ ବିବୃତ୍ତି ଉପରେ ଆଧାରିତ, କୌଣସି ଅପରାଧିକ କାର୍ୟ୍ୟକଳାପ ଉପରେ ନୁହେଁ।