ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ଚାଷୀ। ବାତ୍ୟା ପ୍ରଭାବରେ ଧାନ ଚାଷୀଙ୍କୁ ଫସଲ ନଷ୍ଟ ହେବା ଚିନ୍ତା ଘାରିଛି। ବର୍ଷକର ଅର୍ଜିତ ଫସଲକୁ ବାତ୍ୟା ନଷ୍ଟ କରିଦେବା ନେଇ ଆଶା ଓ ଆଶଙ୍କାରେ ରହିଛନ୍ତି ହଜାର ହଜାର ଚାଷୀ। ବାତ୍ୟା ଓ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେଲେ ଧାନ ଚାଷ କ୍ଷତି ପହଞ୍ଚିବ, ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ। ସେପଟେ ପନି ପରିବା ଫସଲ ମଧ୍ୟ ନଷ୍ଟ ହେବ। ଏଥିପାଇଁ ତରବରିଆ ଭାବେ ବିଲରୁ ଧାନ କାଟି ନେଉଛନ୍ତି ଚାଷୀ।
ମାଲକାନଗିରି ଜିଲ୍ଲାରେ ଆଗାମୀ ୩ ଦିନ ଧରି ରେଡ ଆଲର୍ଟ ଜାରି ହୋଇ ଥିବାରୁ ଲୋକେ ଆତଙ୍କିତ ହୋଇ ପାଚିଲା-ଅପାଚିଲା ଧାନ ସବୁ କାଟି ନେଉଛନ୍ତି। ଧାନ କଟା ମେସିନ ପାଇବା ଲାଗି ଚାଷୀଙ୍କ ଧାଡି ଲାଗିଛି। ମାଲକାନଗିରି ଏମଭି ୪୩ ଗାଁରେ ଦିନ ରାତି ଧାନ କଟା ଜାରି ରଖିଛନ୍ତି ଚାଷୀ।
ଏନେଇ କିଛି ଚାଷୀ କହିଛନ୍ତି, "ଯଦି ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ହୁଏ ତେବେ ବର୍ଷକର ଦାନା ପାଣି ବୁଡିବ। କେମିତି ଚଳିବୁ ଚିନ୍ତା ବଢି ଯାଇଛି। ବିଭିନ୍ନ ସ୍ଥାନରୁ ୠଣ ଆଣି ଧାନ ଚାଷ କରିଥିଲୁ କେମିତି ସୁଝିବୁ ବୋଲି କହିଛନ୍ତି।''
ସେପଟେ ବାତ୍ୟାକୁ ନେଇ ମତ୍ସ୍ୟଜୀବୀମାନେ ବି ସଜାଗ ହୋଇଯାଇଛନ୍ତି। ଚିଲିକାରୁ ମତ୍ସ୍ୟଜୀବୀମାନେ ଡଙ୍ଗା, ଜାଲ ମେସିନକୁ ସୁରକ୍ଷିତ ସ୍ଥାନକୁ ନେଇ ଆସୁଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସହ ସହ ମତ୍ସ୍ୟଜୀବୀ ଚିଲିକାରେ ମାଛ ଧରିବା ଛାଡ଼ି ଉଚ୍ଚ ସ୍ଥାନକୁ ଚାଲି ଆସିଛନ୍ତି। ପୂର୍ବ ବାତ୍ୟାରେ ଚିଲିକାରେ ମତ୍ସଜୀବୀମାନଙ୍କ ଡଙ୍ଗା ଜାଲ ସମସ୍ତ ସାମଗ୍ରୀ ସେମାନଙ୍କର କ୍ଷତି ହୋଇଥିଲା ଯାହା ଆଜି ପର୍ଯ୍ୟନ୍ତ କ୍ଷତି ପୂରଣ ମିଳି ପାରିନାହିଁ। ପୁଣି ଆଉ ଏକ ବତ୍ୟା ଖବର ସୁଣି ସେମାନଙ୍କ ମନରେ ଛନକା ପସିଛି।