ଭୁବନେଶ୍ଵର: ରାଜ୍ୟରେ ବିଜେପି ସରକାରକୁ ଶନିବାର ପୂରିଛି ୫୦୦ ଦିନ। ଏହି ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ୍ ବୈଠକ। ଏଥିରେ ୪ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହା ସହ ୩୩ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର। ଏହି ପ୍ରକଳ୍ପଗୁଡ଼ିକରେ ୧.୪୬ ଲକ୍ଷ କୋଟି ଟଙ୍କାର ନିବେଶ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ୬୬,୦୦୦ ନିଯୁକ୍ତି ସୃଷ୍ଟି ହେବ।
ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୨ତମ ହାଇଲେବଲ କ୍ଲିଅରାନ୍ସ ବୈଠକରେ ୧୨ ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିପାଇଁ ୧ ଲକ୍ଷ ୪୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ୭ଟି ସେକ୍ଟରରେ ୯ଟି ଜିଲ୍ଲାରେ ଏହି ପ୍ରକଳ୍ପ ହେବ। ଏହାଦ୍ୱାରା ୫୦ ହଜାର ନିଯୁକ୍ତି ସୃଷ୍ଟି ହେବ। ୧୨ଟି ପ୍ରକଳ୍ପ ମଧ୍ୟରେ ବଡ଼ ପୁଞ୍ଜିନିବେଶ ଆଦାନୀ ଗ୍ରୁପର ପ୍ରକଳ୍ପ ରହିଛି। କୋଇଲାରୁ କେମିକାଲ ପ୍ରସ୍ତୁତି ଶିଳ୍ପ ପାଇଁ ୮୪ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଆଦାନୀ ଗ୍ରୁପ। ସେହିପରି ସ୍ପେସିଆଲ ଷ୍ଟିଲ ଶିଳ୍ପ, ସେମିକଣ୍ଡକ୍ଟର, ଗ୍ରୀନ ଏନର୍ଜି, ସୋଲାର ଶିଳ୍ପ ପାଇଁ ଅନୁମୋଦନ ମିଳିଛି।
ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି ବିଜେପି ସରକାରର ୫୦୦ ଦିନ ଭିତରେ ବର୍ତ୍ତମାନ ସୁଦ୍ଧା ୩୨୯ଟି ପ୍ରକଳ୍ପକୁ ୭ ଲକ୍ଷ ୬୬ ହଜାର କୋଟି ଅଧିକ ପୁଞ୍ଜିନିବେଶ ଅନୁମୋଦନ ଦେଇଛନ୍ତି। ସେଥିମଧ୍ୟରୁ ୮୪ଟି ପ୍ରକଳ୍ପ ଗ୍ରାଉଣ୍ଡ ବ୍ରେକିଂ କରି କାମ ଆରମ୍ଭ କରିଛୁ। ୪ ଲକ୍ଷ ୬୮ ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେଇଛି। ୨ ଲକ୍ଷ ୪ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଯାହା ଦ୍ୱାରା ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁନିଶ୍ଚିତ କରିଛୁ।
Also read: ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି : ୪ ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ