ନୂଆଦିଲ୍ଲୀ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା କମିବାର ନାଁ ଧରୁନି । ଏହା ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଆଫଗାନିସ୍ତାନକୁ ଯୁଦ୍ଧର ଧମକ ଦେଇଛନ୍ତି । ଖ୍ୱାଜା ମହମ୍ମଦ ଆସିଫ କହିଛନ୍ତି, ଯଦି ଇସ୍ତାନବୁଲରେ ଚାଲିଥିବା ଆଲୋଚନାରେ ବୁଝାମଣା ନ ହୁଏ ତେବେ ଖୋଲାଖୋଲି ଯୁଦ୍ଧ ହେବ । ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନ ଶାନ୍ତି ଚାହୁଁଛି । ଯଦି ଏମିତି ନ ହୁଏ ତେବେ ଯୁଦ୍ଧ ହେବ । ଆସିଫଙ୍କ ଏହି ବୟାନ ଏମିତି ସମୟରେ ଆସିଛି ଯେତେବେଳେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଶନିବାର ଇସ୍ତାନବୁଲରେ ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି ।
ପାକିସ୍ତାନର ଖବର କାଗଜ ଦ ଡନ ମୁତାବକ ତୁର୍କୀର ରାଜଧାନୀରେ ଚାଲିଥିବା ଏହି ଆଲୋଚନାର ଉଦ୍ଦେଶ୍ୟ ସୁରକ୍ଷା ଚିନ୍ତାକୁ ଦୂର କରିବା । ଏହା ସହ ଦୁଇ ଦେଶର ମିଳିତ ସୀମାରେ ଲମ୍ବା ସମୟ ପାଇଁ ଅସ୍ତ୍ରବିରତି ଲାଗୁ କରିବା । ଉଲ୍ଲେଖନୀୟ ଦୁଇ ଦେଶର ସୀମାରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଗୁଳିମାଡ ହୋଇଥିଲା । ଏହି ସମୟରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ସାଧାରଣ ଲୋକ ବି ସାମିଲ ଥିଲେ ।
ତାଲିବାନ ସରକାର କହିଥିଲେ ଯେ, କାବୁଲରେ ଯେଉଁ ବିସ୍ଫୋରଣ ହୋଇଛି ତାହା ପାକିସ୍ତାନ ସରକାର କରାଇଛନ୍ତି । ଆରମ୍ଭରୁ ଦୁଇ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ ପାଇଥିଲା । ମାତ୍ର ଏହି ଅସ୍ତ୍ରବିରତି କିଛି ଦିନ ପରେ ଭଙ୍ଗ ହୋଇଥିଲା । ଏଥିପାଇଁ କାବୁଲ ଇସଲାମାବାଦକୁ ଦାୟୀ କରିଥିଲା । ହେଲେ ରବିବାର କାତାର ଓ ତୁର୍କୀର ମଧ୍ୟସ୍ଥତା ପରେ ଦ୍ୱିତୀୟ ଥର ସୀମାରେ ଶାନ୍ତି ସ୍ଥାପନ ହୋଇଛି ।
Also read: IRCTC ୱେବସାଇଟ ପୁଣି ଥରେ ଡାଉନ, ହୋଇ ପାରୁନି ଟିକେଟ୍ ବୁକିଂ; ଯାତ୍ରୀ ହଇରାଣ