ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଭାରତ ହାରିଥିଲେ ମଧ୍ୟ ଶେଷ ଦିନିକିଆରେ ରୋହିତ ଓ କୋହଲିଙ୍କ ପ୍ରଦର୍ଶନ କ୍ରିକେଟ୍ ପ୍ରେମୀଙ୍କୁ ବେଶ ଆଶ୍ୱସ୍ତି ଦେଇଛି । କାରଣ ଶେଷ ଦିନିକିଆରେ ଏହି ଦୁଇ ତାରକାଙ୍କ ବ୍ୟାଟ୍ ଖୁବ ଗର୍ଜିଛି । ରୋହିତ ଏହି ଦିନିକିଆ ସିରିଜରେ ୨୦୦ରୁ ଅଧିକ ରନ କରିଛନ୍ତି । ଏହି ପ୍ରଦର୍ଶନ ଯୋଗୁଁ ରୋହିତ ଶର୍ମା ପ୍ଲେୟାର ଅଫ ଦ ମ୍ୟାଚ୍ ଏବଂ ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି । ଏହି ସିରିଜ୍ ପୂର୍ବରୁ ରୋହିତ ଶର୍ମାଙ୍କ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେବାର ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ରୋହିତ ନିଜର ପ୍ରଦର୍ଶନରେ ସମାଲୋଚକଙ୍କୁ ଉଚିତ୍ ଜବାବ ଦେଇଛନ୍ତି ।
ରୋହିତ ଶର୍ମାଙ୍କ ପିଲା ବେଳର କୋଚ୍ ଦିନେଶ ଲାଡ ଏଏନଆଇ ସହ ଆଲୋଚନା ବେଳେ ହିଟମ୍ୟାନଙ୍କ ସନ୍ନ୍ୟାସକୁ ନେଇ ବଡ ଖୁଲାସା କରିଛନ୍ତି । ଦିନେଶ ଲାଡ ସିଡନୀରେ ରୋହିତଙ୍କ ଇନିଂସ ଦେଖି କହିଛନ୍ତି, ରୋହିତ ଯେଉଁଭଲି ବ୍ୟାଟିଂ କରିଛନ୍ତି ଏବଂ ଦଳକୁ ବିଜୟୀ କରାଇଛନ୍ତି, ଏହା ଦେଖି ବହୁତ ଖୁସି ଲାଗିଲା । ରୋହିତ ସ୍ଥିର କରିଛନ୍ତି ଯେ, ସେ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ ଏବଂ ଏହା ପରେ ହିଁ ସନ୍ନ୍ୟାସ ନେବେ ।
ରୋହିତ ଶର୍ମାଙ୍କ ପିଲାଦିନର ପ୍ରଶିକ୍ଷକ ମଧ୍ୟ ବିରାଟ କୋହଲିଙ୍କ ପ୍ରଶଂସା କରି କହିଛନ୍ତି ଯେ କୋହଲି ଏମିତି ଜଣେ ଖେଳାଳି ଯିଏ ଯେକୌଣସି ପରିସ୍ଥିତିରେ ସଫଳ ହୋଇପାରିବେ। ତାଙ୍କ ଖେଳ ଦେଖିବା ମଧ୍ୟ ଆନନ୍ଦଦାୟକ ବିଷୟ । ଦିନେଶ ଲାଡ ମଧ୍ୟ କହିଛନ୍ତି ଯେ ସଚିନ ତେନ୍ଦୁଲକର କହିଥିଲେ ଯେ ରୋହିତ ଏବଂ ବିରାଟ ଭବିଷ୍ୟତରେ ତାଙ୍କର ରେକର୍ଡ ଭାଙ୍ଗିବେ, ଏବଂ ଆଜି ଏହା ସତ୍ୟ ପ୍ରମାଣିତ ହେଉଛି।
ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦୁଇଟି ଦିନିକିଆ ହାରିଥିଲା। ତୃତୀୟ ଦିନିକିଆରେ ରୋହିତ ଶର୍ମା ଏବଂ ବିରାଟ କୋହଲି ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ରୋହିତ ୧୨୫ ବଲ୍ରେ ଅପରାଜିତ ୧୨୧ ରନ୍ କରିଥିଲେ। ବିରାଟ କୋହଲି ୮୧ ବଲ୍ରେ ଅପରାଜିତ ୭୪ ରନ୍ କରିଥିଲେ ଏବଂ ବିଜୟ ସୂଚକ ଚୌକା ମାରି ଦଳକୁ ତୃତୀୟ ଦିନିକିଆରେ ଜିତାଇବାରେ ସାହାଯ୍ୟ କରିଥିଲେ।
Also read: ମହିଳା ବିଶ୍ୱକପ୍ ସେମିଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା