ନୂଆଦିଲ୍ଲୀ: ସମଗ୍ର ଦେଶରେ ୨୦୨୪-୨୫ ଶିକ୍ଷା ବର୍ଷରେ ପ୍ରାୟ ୮ ହଜାର ସ୍କୁଲରେ ଜଣେ ହେଲେ ବି ଛାତ୍ରଙ୍କ ଆଡମିଶନ ହୋଇ ନାହିଁ । ସରକାରୀ ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗରେ ସର୍ବାଧିକ ୩ ହଜାର ୮୧୨ ସ୍କୁଲରେ ନାମ ଲେଖା ଶୂନ୍ୟ ରହିଛି । ଏହା ପରେ ତେଲେଙ୍ଗାନା ୨୨୪୫ ସ୍କୁଲ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଗୋଟିଏ ହେଲେ ପିଲା ନାଁ ଲେଖାଇ ନ ଥିବା ଏହି ୮ ହଜାର ସ୍କୁଲରେ ୨୦ ହଜାର ୮୧୭ ଶିକ୍ଷକ ଅଛନ୍ତି । ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ପଶ୍ଚିମବଙ୍ଗରେ ହିଁ ଏମିତି ସ୍କୁଲରେ ୧୭ ହଜାର ୯୬୫ ଶିକ୍ଷକ କାର୍ଯ୍ୟରତ ଅଛନ୍ତି ।
ଶିକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୨୩-୨୪ ବର୍ଷରେ ୧୨ ହଜାର ୯୫୪ରୁ ହ୍ରାସ ପାଇ ୨୦୨୪-୨୫ରେ ଶୁନ୍ୟ ନାମ ଲେଖା ସ୍କୁଲ ସଂଖ୍ୟା ୭୯୯୩କୁ ହ୍ରାସ ପାଇଛି । ଅର୍ଥାତ ଏଥିରେ ୫ ହଜାର ହ୍ରାସ ଦେଖିବାକୁ ମିଳିଛି । ହରିୟାଣା, ଗୋଆ, ଆସାମ, ହିମାଚଳ ପ୍ରଦେଶ, ଛତିଶଗଡ, ନାଗାଲାଣ୍ଡ, ସିକ୍କିମ ଓ ତ୍ରିପୁରାରେ ଏମିତି ସ୍କୁଲ ଗୋଟିଏ ବି ନାହିଁ । ବରିଷ୍ଠ ଅଧିକାରୀ କହିଛନ୍ତି, ସ୍କୁଲ ଶିକ୍ଷା ରାଜ୍ୟର ବିଷୟ । ରାଜ୍ୟ ଗୁଡିକୁ ଶୂନ୍ୟ ନାମ ଲେଖା ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦିଆଯାଇଛି । କିଛି ରାଜ୍ୟ ସମ୍ବଳ ଯଥା ଭିତ୍ତିଭୂମି ଓ କର୍ମଚାରୀଙ୍କ ସଠିକ୍ ଉପଯୋଗ ପାଇଁ ଅନେକ ବିଦ୍ୟାଳୟକୁ ମିଶ୍ରଣ କରିଛନ୍ତି ।
କେବଳ ଜଣେ ଶିକ୍ଷକ ଥିବା ସ୍କୁଲର ସ୍ଥିତି
ସମଗ୍ର ଦେଶରେ ୩୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଜଣେ ଶିକ୍ଷକ ଥିବା ଏକ ଲକ୍ଷରର ଅଧିକ ସ୍କୁଲରେ ପାଠ ପଢୁଛନ୍ତି । ଏଥିରୁ ଆନ୍ଧ୍ର ପ୍ରଦେଶର ସଂଖ୍ୟା ସବୁଠୁ ଅଧିକ । ଏହା ପରେ ଉତ୍ତର ପ୍ରଦେଶ, ଝାଡଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଲାକ୍ଷାଦ୍ୱୀପ ରହିଛି । କିନ୍ତୁ ଜଣେ ଶିକ୍ଷକ ଥିବା ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାଁ ଲେଖା ଦୃଷ୍ଟିରୁ ଉତ୍ତର ପ୍ରଦେଶ ଶୀର୍ଷରେ ରହିଛି । ଏହା ପରେ ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ମଧ୍ୟ ପ୍ରଦେଶ ରହିଛି । ୨୦୨୨-୨୩ ଶିକ୍ଷା ର୍ଷରେ ଏକ ଲକ୍ଷ ୧୮ ହଜାର ୧୯୦ରୁ ହ୍ରାସ ପାଇ ୨୦୨୩-୨୪ରେ ଜଣେ ଶିକ୍ଷକ ଥିବା ସ୍କୁଲ ସଂଖ୍ୟା ଏକ ଲକ୍ଷ ୧୦ ହଜାର ୯୭୧କୁ ହ୍ରାସ ପାଇଛି ।
Also read: ସଲମାନ ଖାନଙ୍କୁ ଆତଙ୍କୀ ଘୋଷିତ କଲା ପାକିସ୍ତାନ, କାହିଁକି ଏମିତି ବାଉଳେଇ ହେଲେ ଶେହବାଜ ସରକାର