ଭୁବନେଶ୍ୱର : ମାଡି ଆସୁଛି ବାତ୍ୟା ମୋନ୍ଥା। ସରକାରୀ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି । ମୁକାବିଲା ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ସମସ୍ତ ସରକାରୀ ଅଧିକାରୀ। ୯ ଜିଲ୍ଲାରେ ଛୁଟି ବାତିଲ। ଦକ୍ଷିଣରୁ ଆରମ୍ଭ କରି ଉପକୂଳ ଓଡିଶା ଯାଏ ସବୁଠି ହାଇ ଆଲର୍ଟ ଜାରି। ମତ୍ସ୍ୟଜୀବୀ ମାନେ ସମୁଦ୍ର ମଝିକୁ ମାଛ ମାରିବାକୁ ଯିବା ଉପରେ କଟକଣା ରହିଛି ।ବାତ୍ୟାର ପ୍ରଭାବ ୧୫ ଜିଲ୍ଲାରେ ପଡିପାରେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ସୂଚନା ଅନୁଯାୟୀ ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। ସେହିପରି ଗର୍ଭବତୀ ମାନଙ୍କୁ ହସ୍ ପିଟାଲ ଆଣିବା ଲାଗି ଆଶା ଦିଦି ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆନ୍ଧ୍ରର କାକିନାଡାରେ ବାତ୍ୟା ଲାଣ୍ଡ ଫଲ୍ କରିବାର ସମ୍ଭାବନା ଥିବାରୁ ମୁଣ୍ଡଳୀରୁ ୩ଟି ଏନ୍ ଡିଆରଏଫ୍ ଟିମ୍ ଆନ୍ଧ୍ର ଯାଇଛି।ଓଡିଶାରେ ମୋନ୍ଥା ପ୍ରଭାବରେ ପ୍ରବଳ ବୃଷ୍ଟିପାତ ହୋଇପାରେ। ଯାହାକୁ ଦୃଷ୍ଟିରେ ରଖି ସରକାର ବାତ୍ୟା ମୁକାବିଲା ପ୍ରସ୍ତୁତି କରିଛନ୍ତି।
ସୋମବାର ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପୁରୀ, ଗଞ୍ଜାମ ଓ ଗଜପତିରେ କିଛି ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ୫୦ କିମି ବେଗରେ ଝଟ୍କା ପବନ ମଧ୍ୟ ବହିବ ବୋଲି ପାଣିପାଗ ବିଭାଗ କହିଛି । କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, କଳାହାଣ୍ଡି, ବାଲେଶ୍ୱର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଉଦ୍ଧାରକାରୀ ଟିମ୍କୁ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ପଠାଇ ଦିଆଯାଇଛି ବୋଲି ଏସ୍ଆରସି ଦେଓ ରଞ୍ଜନ ସିଂ ସୂଚନା ଦେଇଛନ୍ତି । ୮ଟି ଜିଲ୍ଲାରେ ୧୨୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ମାଲକାନଗିରିକୁ ଓଡ୍ରାଫ୍ର ୩ଟି ଟିମ୍, ଗୋଟିଏ ଏନଡିଆରଏଫ୍ ଓ ୮ଟି ଅଗ୍ନିଶମ ଟିମ୍ ପଠାଯାଇଛି । କୋରାପୁଟରେ ୧୮ଟି ଟିମ୍, ନବରଙ୍ଗପୁରରେ ୧୩ଟି, ଗଜପତିରେ ୧୧ଟି, ଗଞ୍ଜାମରେ ୨୭, କନ୍ଧମାଳରେ ୧୬ ଓ କଳାହାଣ୍ଡିକୁ ୧୬ଟି ଟିମ୍ ପଠାଯାଇଛି ।
ସୋମବାର ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ୨୮ ଓ ୨୯ ତାରିଖରେ ଅଧିକ ବର୍ଷା ହେବ ବୋଲି ସେ କହିଛନ୍ତି। ସେପଟେ ଆନ୍ଧ୍ରପ୍ରଦେଶରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ସେଠାରେ ଅଧିକ ପ୍ରଭାବ ରହିବ ।