ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ହାଟପଦାରେ ଏକ ବଡ଼ ଧରଣର ଲୁଟ୍ ହୋଇଛି । ବିଧବା ମହିଳା ଏବଂ ଝିଅଙ୍କୁ ବାନ୍ଧି ପ୍ରାୟ ୪୦ ଗ୍ରାମ୍ ସୁନା ଏବଂ ୨୫ ଲକ୍ଷ ନଗଦ ଟଙ୍କା ଡକାୟତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘରେ ଥିବା କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିଛନ୍ତି । ମହିଳାଙ୍କ ଝିଅକୁ ଦୁଷ୍କର୍ମ କରିବାକୁ ମଧ୍ୟ ଧମକ ଦେଇଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।
ମହିଳାଙ୍କ ପ୍ରତିକ୍ରିୟା ମୁତାବକ, ବଣାଇ ଥାନା ହାଟପଦା ନିକଟରେ ତାଙ୍କର ଏକ ଇଲେକ୍ଟ୍ରିକ୍ ଦୋକାନ ରହିଛି । ଗତକାଲି ରାତି ପ୍ରାୟ ୧୨ଟା ୩୨ ମିନିଟରେ ତାଙ୍କ ଘରେ ରହୁଥିବା କର୍ମଚାରୀ ତାଙ୍କୁ ଫୋନ୍ କରି ଔଷଧ ମାଗିଥିଲେ । ପେଟରେ ଯନ୍ତ୍ରଣା ହେଉଛି ବୋଲି କହିଥିଲେ । ମହିଳା ଜଣକ ମେଡ଼ିସିନ୍ ଦେବାକୁ କବାଟ ଖୋଲିବା ପରେ ୫ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଓ ମାରଣାସ୍ତ୍ର ଧରି ଧସେଇ ପଶିଥିଲେ । ଏହା ପରେ ମହିଳା, ତାଙ୍କ ଝିଅ ଏବଂ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ଲୁଟ୍ କରିଥିଲେ l ସବୁ ସୁନା ଦିଅ ନ ହେଲେ ଝିଅକୁ ବଳାତ୍କାର କରିବାକୁ ଧମକ ଦେଇଥିଲେ । ମହିଳା ଜଣକ ସବୁକିଛି ଦେଇ ଦେଇଥିଲେ । ଲୁଟେରାମାନେ କହିଥିଲେ ଯେ ସେମାନଙ୍କୁ ପାଖରେ ଖବର ରହିଛି ତାଙ୍କ ପାଖରେ ଆହୁରି ଟଙ୍କା ସୁନା ଅଛି ତାକୁ ଦିଅ । ଏହା ପରେ ମହିଳା ଜଣକ ପ୍ରାୟ ୪୦ ଗ୍ରାମ୍ ସୁନା ଏବଂ ୨୫ ଲକ୍ଷ ଟଙ୍କା ଦେଇଥିଲେ ।
ଏ ନେଇ ମହିଳା ଜଣକ ବଣାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଟିମ୍ ତୁରନ୍ତ ସେଠାରେ ପହଁଚି ଛାନଭିନ୍ ଆରମ୍ଭ କରିଥିଲେ । ଏଥିରେ କେହି ଜାଣିବା ଲୋକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । କିଛି ସୁରାକ ମିଳିଛି, ତେଣୁ ଖୁବ ଶୀଘ୍ର ଅଭିଯୁକ୍ତମାନେ ଧରାପଡ଼ିବେ ବୋଲି ଏସଡିପିଓ ରାମଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି ।