ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିଝଡ଼ 'ମୋନ୍ଥା' ଘଣ୍ଟା ପ୍ରତି ୧୬ କିମି ବେଗରେ ସ୍ଥଳ ଭାଗ ଆଡ଼କୁ ଅଗ୍ରସର ହେଉଛି । ଆସନ୍ତାକାଲି ଏହା ଆନ୍ଧ୍ର ପ୍ରଦେଶ ଉପକୂଳ ମଛଲିପଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ ଥିବା କାକିନାଡ଼ା ଦେଇ ଅତିକ୍ରମ କରିବ । ଏଥିପାଇଁ ଓଡ଼ିଶାର ଆଠଟି ଜିଲ୍ଲାକୁ ଆସନ୍ତାକାଲି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ । କିନ୍ତୁ ଆଜିଠାରୁ ମୋନ୍ଥା ତାର ପ୍ରକୋପ ଦେଖାଇବା ଆରମ୍ଭ କରି ଦେଇଛି । ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି ।
ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଆକାଶରେ କଳା ବାଦଲ ଘୋଟି ରହିଛି । ଗଜପତି ଜିଲ୍ଲା ପାଇଁ ଆଜି ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ପାରଳାଖେମୁଣ୍ଡିରେ ସକାଳୁ ସକାଳୁ ପୁରା ଅନ୍ଧାର ହୋଇଯିବା ସହିତ ଝିପିଝିପି ବର୍ଷା ହେଉଛି । ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ କୋହଲା ପାଗ କରିଛି ।
ସେପଟେ ପାରଦ୍ୱୀପ ବନ୍ଦରକୁ ୨ ନଂ ବିପଦ ସଙ୍କେତ ଜାରି କରାଯାଇଛି । କୌଣସି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରମ୍ବାର ସତର୍କ କରାଯାଉଛି । ପୂର୍ବରୁ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରିଆସିଥିବା ସୂଚନା ମିଳିଛି ।
ବାତ୍ୟା ମୁକାବିଲା ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିସାରିଛନ୍ତି । ଆଲର୍ଟରେ ଥିବା ଜିଲ୍ଲାଗୁଡ଼ିକ ପାଇଁ ୧୨୮ ଟି ଉଦ୍ଧାରକାରୀ ଦଳ ପଠାଯାଇଛି । ଆଜି ମୁଣ୍ଡୁଳିଠାରୁ ଏନଡିଆରଏଫ୍ ଟିମ୍ ବାହାରିଛନ୍ତି । ବିଭିନ୍ନ ଜିଲ୍ଲାକୁ ୨୪ଟି ଓଡ୍ରାଫ, ମାଲକାନଗିରି, କୋରାପୁଟ, ଗଜପତି, କନ୍ଧମାଳ, ରାୟଗଡ଼ାକୁ ୫ଟି ଏନଡିଆରଏଫ୍ ଓ ୯୯ଟି ଅଗ୍ନିଶମ ବାହିନୀ ଟିମ୍ ପଠାଯାଇଛି । ଅଗ୍ନିଶମ ବାହିନୀର ଟିମ୍ ମାଲକାନଗିରିରେ ୮, କୋରାପୁଟରେ ୧୪, ନବରଙ୍ଗପୁରରେ ୧୦, ରାୟଗଡ଼ାରେ ୧୧, ଗଜପତିରେ ୭, ଗଞ୍ଜାମରେ ୨୪, କନ୍ଧମାଳରେ ୧୨ ଓ କଳାହାଣ୍ଡି ଜିଲ୍ଲାରେ ୧୩ଟି ମୁତୟନ କରାଯାଇଛି ।