ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୋନ୍ଥା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବାତ୍ୟା ପ୍ରଭାବରେ ଯେମିତି କାହାର ଜଣଙ୍କର ବି ପ୍ରାଣ ହାନି ନ ହୁଏ ଅର୍ଥାତ୍ ଜିରୋ କାଜୁଆଲଟି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ୩୦ ଯାଏ ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟ ଛୁଟି ରହିବ ବୋଲି ବାତ୍ୟା ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ସୋମବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସ୍ଆରସିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓ ରଞ୍ଜନ ସିଂହଙ୍କ ସମେତ ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ , ବିଭିନ୍ନ ବିଭାଗର ମୁଖ୍ୟ ସଚିବ, ଭିସି ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକ ପରେ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ଯେ ବାତ୍ୟା ମୋନ୍ଥା ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସରକାରଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପ୍ରସ୍ତୁତି ଶେଷ ହୋଇଛନ୍ତି । ବାତ୍ୟାର ଗତି ବଢ଼ୁଛି, ତେଣୁ ବାତ୍ୟାର ପ୍ରଭାବ କମ୍ ରହିବ ବୋଲି ପାଣିପାଗ ବିଭାଗର ବିଶେଷଜ୍ଞମାନେ ଆକଳନ କରିଛନ୍ତି । ମାଲକାନଗିରି ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ । ସେଥିପାଇଁ ଛତିଶଗଡ଼ରେ ବର୍ଷା ହେଲେ ମହାନଦୀରେ ପାଣି ଆସିବାର ସମ୍ଭାବନା ରହିଛି । ସେଥିପାଇଁ ଜଳ ସମ୍ପଦ ଅଧିକାରୀଙ୍କ ପରାମର୍ଶ ଅନୁସାରେ ବିଭିନ୍ନ ଜଳଭଣ୍ଡାରରେ ଗଚ୍ଛିତ ଥିବା ପାଣିକୁ ନିଷ୍କାସନ କରାଯାଇଛି ।
ମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଯେ ବାତ୍ୟାକୁ ନେଇ କେହି ଭୟଭୀତ ନ ହୋ ସରକାରଙ୍କ ପରାମର୍ଶ ମାନନ୍ତୁ । ସେହିପରି ଅତି ଆବଶ୍ୟକ ନ ହେଲେ ବର୍ଷା ସମୟରେ ଘରୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ସରକାର ‘ଜିରୋ କାଜୁଆଲିଟି’ ଉପରେ ଅଧିକ ଲକ୍ଷ୍ୟ ଦେଇଛନ୍ତି । ପ୍ରାୟ ୨୫୦ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଆହୁରି ଆସନ୍ନ ପ୍ରସବ ମହିଳାଙ୍କୁ ନିକଟସ୍ଥ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଉଛି । ଯେଉଁମାନଙ୍କର କଚ୍ଚା ଘର ରହିଛି ସେମାନେ ନିକଟସ୍ଥ ଆଶ୍ରୟସ୍ଥଳୀରେ ରୁହନ୍ତୁ ।
୮ଟି ଜିଲ୍ଲାରେ ପ୍ରାୟ ଦୁଇ ଶହ ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ସେହିପରି ବିଦ୍ୟାଳୟ ଗୁଡ଼ିକରେ ସୁବିଧା କରାଯାଉଛି । ବାତ୍ୟା ଆଶ୍ରୟ ସ୍ଥଳୀରେ ରହୁଥିବା ଲୋକଙ୍କ ସମ୍ପତ୍ତିର ସୁରକ୍ଷା ଓଡ଼ିଶା ପୋଲିସ କରିବ ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ଏସ୍ଆରସି ଶ୍ରୀ ସିଂହ କହିଛନ୍ତି ଆସନ୍ତାକାଲିଠାରୁ ୩୦ ତାରିଖ ଯାଏ ୮ଟି ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟ ବନ୍ଦ ରହିବ । ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ ବିଦ୍ୟାଳୟ ବନ୍ଦ ରହିବ । ଯଦି ବିଦ୍ୟୁତ ବିଚ୍ଛିନ୍ନ ହେଲେ ୨୪ ଘଣ୍ଟାରେ ବିଜୁଳି ସଂଯୋଗ କରାଯିବ ।
Also read: ବାତ୍ୟା ବଢ଼ାଇଲା ବେଗ; କ୍ଷିପ୍ର ଗତିରେ ସ୍ଥଳଭାଗ ମୁହାଁ ହେଉଛି 'ମୋନ୍ଥା', ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଆସୁଛି ମାଡ଼ି