ନୂଆଦିଲ୍ଲୀ: ଯେଉଁ ଭଉଣୀମାନଙ୍କ ପାଇଁ ଭାଇ ସୁରକ୍ଷା କବଚ ପାଲଟିଥିଲା, ଶେଷରେ ସେହି ଭଉଣୀମାନଙ୍କ ସମ୍ମାନ ରକ୍ଷା ପାଇଁ ଭାଇ ନିଜ ଜୀବନ ଦେଇଯାଇଛି । କୃତ୍ରିମ ବୁଦ୍ଧିମତା ବା ଏଆଇ ମାଧ୍ୟମରେ ଭଉଣୀମାନଙ୍କ ମିଥ୍ୟା ଅଶ୍ଳୀଳ ଭିଡ଼ିଓ ଏବଂ ଫଟୋ ଦ୍ୱାରା ବ୍ଲାକମେଲର ଶୀକାର ହୋଇଛନ୍ତି ଜଣେ ଯୁବକ । ଶେଷରେ ମାନସିକ ଚାପର ବସବର୍ତ୍ତୀ ହୋଇ ବିଷ ଖାଇ ଆତ୍ମହତ୍ୟା କରିଛି ଭାଇ । ଏଭଳି ଏକ ଘଟଣା ଘଟିଛି ହରିୟାଣାର ଫରିଦାବାଦ ଅଞ୍ଚଳରେ । ମୃତ ଯୁବକ ଜଣକ ହେଲେ ଡିଏଭି କଲେଜରେ ପଢ଼ୁଥିବା ରାହୁଲ ଭାରତୀ (୧୯) ।
ରାହୁଲ ଡିଏଭିର ଦ୍ୱିତୀୟ ବର୍ଷର ଛାତ୍ର ଅଟନ୍ତି । ତାଙ୍କ ବାପା ମନୋଜ ଭାରତୀଙ୍କ କହିବା ମୁତାବକ, ରାହୁଲ କିଛି ଦିନ ହେବ ମାନସିକ ଚାପରେ ରହୁଥିଲେ । ଭଲରେ ଖାଉ ନ ଥିଲେ । ଚୁପଚାପ ରହିବା ସହି କାହା ସହ ବେଶି କଥା ହେଉନଥିଲେ । ଶନିବାର ସକାଳେ ସେ କିଛି ଔଷଧ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ରାହୁଲକୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।
ଅଭିଯୋଗ ପରେ ଫରିଦାବାଦ ପୁରୁଣା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ରାହୁଲଙ୍କୁ ଜଣେ ବ୍ୟକ୍ତି ତାଙ୍କ ୩ ଭଉଣୀଙ୍କର ଅଶ୍ଲୀଳ ଭିଡ଼ିଓ କରି ଭାଇରାଲ କରିବାକୁ ଧମକ ଦେଇଥିଲା । କିନ୍ତୁ ତାହା ଏଆଇ ଦ୍ୱାରା କରାଯାଇଥିଲା ବୋଲି କହିଛନ୍ତି ଥାନା ଅଧିକାରୀ ବିଷ୍ଣୁ କୁମାର । ତାଙ୍କ ଫୋନରେ ରାହୁଲ ଏବଂ ସାହିଲ ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଶେଷ ଥର ପାଇଁ ବାର୍ତ୍ତାଳାପ ହୋଇଥିବା ଜଣାପଡ଼ିଛି । ୨୦ ହଜାର ଟଙ୍କା ଦେବାକୁ ରାହୁଲକୁ କୁହାଯାଇଛି । ଯଦି ଟଙ୍କା ନ ଦେବ ଭଉଣୀମାନଙ୍କର ସମସ୍ତ ଫଟୋ ଏବଂ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା । ଏମିତିକି ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଠିକଣା ଦିଆଯାଇଥିଲା ଆସିବାକୁ । ଏହା ପୂର୍ବରୁ ମଧ୍ୟ ଅନେକ ଥର ଟଙ୍କା ମାଗିଚାଲିଥିଲା ସାହିଲ ।
ସେହିପରି ରାହୁଲଙ୍କ ମାଆ ମୀନା ଦେବୀ ଆଉ ଜଣଙ୍କୁ ମଧ୍ୟ ସନ୍ଦେହ କରିଛନ୍ତି । ତାଙ୍କ ଦିଅର ନୀରଜ ଭାରତୀ ଏଥିରେ ସମ୍ପୃକ୍ତ ଥିବା କହିଛନ୍ତି । ପ୍ରାୟ ୬ ମାସ ପୂର୍ବେ ନୀରଜ ଏବଂ ତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେଣୁ ସେ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ପରିବାର ଲୋକେ କହିଛନ୍ତି ।
ପରିବାର ବର୍ଗଙ୍କ ଅଭିଯୋଗ ମୁତାବକ ପୋଲିସ ସାହିଲ ଏବଂ ନୀରଜ ଭାରତୀଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହା ସାଇବର ଅପରାଧର ଏକ ବଡ଼ ଉଦାହରଣ ବୋଲି ଥାନା ଅଧିକାରୀ ବିଷ୍ଣୁ କୁମାର କହିଛନ୍ତି ।