ସମୁଦ୍ର ଭିତରେ ବେଗ ବଢ଼ାଇ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା। ପୂର୍ବରୁ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଥିବାବେଳେ, ଏବେ କିନ୍ତୁ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ଗତ ୬ ଘଣ୍ଟା ଧରି ଏହା ସମୁଦ୍ର ଭିତରେ ଘଣ୍ଟା ପ୍ରତି ୧୮ କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି।
ଗତକାଲି ରାତିରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା। ବର୍ତ୍ତମାନ ସମୟରେ ଏହା ଚେନ୍ନାଇଠାରୁ ୫୨୦ କିଲୋମିଟର ଦୂରରେ ଥିବାବେଳେ, କାକିନାଡ଼ାଠାରୁ ୫୭୦ କିଲୋମିଟର ଦୂରରେ ରହିଛି। ସେହିପରି ବିଶାଖାପାଟଣାଠାରୁ ୬୦୦ କିଲୋମିଟର ଏବଂ ଗୋପାଳପୁରଠାରୁ ୭୫୦ କିଲୋମିଟର ଦୂରରେ ଅଛି। ତେବେ ୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ।
ତେବେ କାଲି ସନ୍ଧ୍ୟାରୁ ଆରମ୍ଭ ହୋଇଯିବ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ରାତି ଭିତରେ ଆନ୍ଧ୍ର ଉପକୂଳକୁ ମାଡ଼ି ଆସିବ ବାତ୍ୟା। ମଛଲିପଟନମ୍ ଓ କଳିଙ୍ଗପଟନମ୍ ଭିତରେ କାକିନାଡ଼ା ପାଖରେ ଏହା ସ୍ଥଳଭାଗ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ରହିଥିବ। ଝଟକା ପବନ ୧୧୦ କିଲୋମିଟର ଯାଏଁ ବଢ଼ିପାରେ। ତେବେ ବାତ୍ୟାର ପ୍ରଭାବ ଏବେଠୁ କାକିନଡ଼ାରେ ପଡ଼ିଲାଣି। ସମୁଦ୍ର ଅଶାନ୍ତ ହେବା ସହିତ ବର୍ଷା ବି ଆରମ୍ଭ ହୋଇଗଲାଣି। ଆସନ୍ତାକାଲି ସକାଳୁ ପବନର ବେଗ ବଢିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।