ଭୁବନେଶ୍ଵର: ମାଡ଼ି ଆସୁଛି ବାତ୍ୟା ମୋନ୍ଥା। ଆସନ୍ତା ୧୨ ଘଣ୍ଟାରେ ବାତ୍ୟାରେ ପରିଣତ ହେବ ଗଭୀର ଅବପାତ।ଅକ୍ଟୋବର ୨୭ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ। ୨୮ ତାରିଖରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ହେବ ପରିଣତ| ମଙ୍ଗଳବାର ରାତିରେ କାକିନାଡ଼ା ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ | ଓଡ଼ିଶା ଉପରେ ବାତ୍ୟା ମୋନ୍ଥାର ସିଧା ପ୍ରଭାବ ନ ଥିଲେ ମଧ୍ୟ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାକୁ ନେଇ ରେଡ଼ ଆଲର୍ଟ ଜାରି ହୋଇଛି। ସମ୍ଭାବ୍ୟ ବର୍ଷା ପାଇଁ ରାଜ୍ୟ ସରକାର ସଜାଗ ଅଛନ୍ତି ଓ ମୁଖ୍ୟମନ୍ତ୍ରୀ ନିଜେ ବାତ୍ୟା ମୁକାବିଲା ପ୍ରସ୍ତୁତିକୁ ତଦାରଖ କରୁଛନ୍ତି।
ବାତ୍ୟାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାକୁ ରେଡ୍ ଆଲର୍ଟରେ ରଖାଯାଇଛି। ୮ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି।, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର। ବାତ୍ୟା ମାନ୍ଥୋ ମୁକାବିଲା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଘନ ଘନ ବୈଠକ ସହ ଜିଲ୍ଲାର ସମସ୍ତ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ବିଭିନ୍ନ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି । ସମୁଦ୍ର କୂଳିଆ ଅଞ୍ଚଳରେ ଲୋକଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ଡାକବାଜି ଯନ୍ତ୍ର ସାହାଯୟରେ ସୂଚନା ଦିଆଯାଉଛି । ବର୍ଷାକୁ ଦୃଷ୍ଟିରେ ରଖି ୮ ଜିଲ୍ଲାର ସମସ୍ତ ଅଙ୍ଗନବାଡି ଆସନ୍ତା ୨୭ ଓ ୨୮ ତାରିଖ ବନ୍ଦ ରହିବ।
ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲକୁ ଆସନ୍ତା ୨୭ ଓ ୨୮ ତାରିଖ ରେ ଛୁଟି ଘୋଷଣା କରାଯାଇଛି l ପ୍ରତି ଗାଁ ଗାଁ ମାଇକ ଯୋଗେ ପ୍ରଚାର କରାଯିବ l ଜିଲ୍ଲାରେ ଥିବା ୧୧୦ ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି l ସମସ୍ତ ପର୍ଯ୍ୟଟନସ୍ଥଳୀ ଆସନ୍ତା ୩ ଦିନ ଯାଏ ବନ୍ଦ ରହିବ। ଗୋପାଳପୁର, ସୋନପୁର ବେଳାଭୂମି ମଧ୍ୟ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ସଂପୂର୍ଣ୍ଣ ଗଞ୍ଜାମ ପ୍ରଶାସନ ସଜାଗ। ୧୧୦ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳି ସଜାଗ ରଖାଯିବା ସହ କିଛି ସ୍କୁଲ ମଧ୍ୟ ଚିହ୍ନଟ କରି ରଖାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି। ଅଗ୍ନିଶ୍ରମ ଓ ଓଡ୍ରାଫ ଟିମ ସହ ସମସ୍ତ ଲାଇନ ବିଭାଗ ସଜାଗ ଅଛନ୍ତି ।
ସେହିପରି ଆସନ୍ତା ୨୭ରୁ ୩୦ ଯାଏଁ କଳିଙ୍ଗା ଘାଟି ବନ୍ଦ ରହିବ। କଳିଙ୍ଗା ଘାଟିରେ ଭୂସ୍ଖଳନ ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଭୂସ୍ଖଳନ ଆଶଙ୍କା ରହିଛି। ଏ ନେଇ ଆଦେଶ ଜାରି କରିଛନ୍ତି କନ୍ଧମାଳ ଜିଲ୍ଲାପାଳ। ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଅଙ୍ଗନବାଡି ବନ୍ଦ ରଖିବା ସହିତ ଗର୍ଭବତୀ ମହିଳାଙ୍କୁ ମେଡିକାଲକୁ ଆଣିବାକୁ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନଙ୍କ ଦାୟିତ୍ବ ଦିଆଯାଇଛି | ଏହା ସହିତ ୧୪ଟି ଜିଲ୍ଲାର ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି | ଗଜପତି ଜିଲ୍ଲାର ହରଭଂଗି ଜଳଭଣ୍ଡାର ଓ ରାୟଗଡା ଜିଲ୍ଲାର ବଡ଼ନଳାର ଜଳଧାରଣକୁ ଖସାଇ ୯୦% କୁ ଅଣାଯାଇଛି |
କାକିନାଡ଼ାର ସାମାନ୍ୟ ଉତ୍ତରରେ ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୯୦ରୁ ୧୦୦ କିଲୋମିଟର ରହିବ। ତେବେ ସମ୍ଭାବ୍ୟ ‘ମୋନ୍ଥା ଓଡ଼ିଶାରେ ମାଡ଼ ହେବନି।ରାଜ୍ୟରେ ବଡ଼ କ୍ଷତି ମଧ୍ୟ ପହଞ୍ଚାଇବ ନାହିଁ। ତଥାପି ଦକ୍ଷିଣ ଓ ଉପକୂଳ ଓଡ଼ିଶା ବେଶୀ ପ୍ରଭାବିତ ହୋଇପାରେ। ୨୭ରୁ ରାଜ୍ୟରେ ବର୍ଷା ବଢ଼ିବ। ଏବଂ ୨୮ ଓ ୨୯ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ୨୮ ରାତିରେ ଆନ୍ଧ୍ର ଅତିକ୍ରମ ପରେ ୨୯ ତାରିଖ ସକାଳେ ମାଲକାନଗିରି ଦେଇ ଓଡ଼ିଶାକୁ ପ୍ରବେଶ କରିପାରେ।ସେତେବେଳକୁ ଏହା ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମରୁ ସାଇକ୍ଲୋନିକ୍ ଷ୍ଟର୍ମ କୁ ହ୍ରାସ ପାଇ ସାରିଥିବ। ଏଥିପାଇଁ ୨୮ ଓ ୨୯ ତାରିଖରେ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।