ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଫିଲ୍ଡିଂ କରିବା ସମୟରେ ଆହତ ଶ୍ରେୟସ ଆୟରଙ୍କୁ ସିଡନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ମ୍ୟାଚ୍ ଦିନଠୁ ସେ ହସ୍ପିଟାଲରେ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିସିସିଆଇ ସଚିବ ଦେବଜିତ ସୈକିୟା ସୋମବାର ପ୍ରେସ ବିବୃତି ଜାରି କରିଛନ୍ତି । ସେ କହିଛନ୍ତି ଆୟର ଚିକିତ୍ସା ଚାଲିଛି ଏବଂ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଇଣ୍ଡିଆନ ଟିମର ଡାକ୍ତର ତାଙ୍କ ସହ ସିଡନୀରେ ହିଁ ରହିବେ ଏବଂ ପ୍ରତ୍ୟେକ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ସମୀକ୍ଷା କରାଯିବ ।
ବିସିସିଆର ପ୍ରେସ ବିବୃତି ଅନୁଯାୟୀ ଆୟରଙ୍କ ଛାତିର ବାମପଟର ପଞ୍ଜରା ହାଡର ନିମ୍ନକ୍ରମରେ ଆଘାତ ଲାଗିଛି । ଏହାର ଚିକିତ୍ସା କରାଯାଉଛି । ସେ ଏବେ ଠିକରେ ସୁସ୍ଥ ହେଉଛନ୍ତି । ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କ ଆଘାତ ଉପରେ ନଜର ରଖାଯାଇଛି । ମେଡିକାଲର ଡାକ୍ତର ଏବଂ ଟିମ୍ ଇଣ୍ଡିଆର ଡାକ୍ତରୀ ଦଳ ତାଙ୍କ ସହ ରହିଛନ୍ତି । ପ୍ରତିଦିନ ଆୟରଙ୍କ ସ୍ୱାସ୍ଥ୍ୟବସ୍ଥାର ମୂଲ୍ୟାଙ୍କନ ପାଇଁ ଦଳର ଡାକ୍ତର ତାଙ୍କ ସହ ସିଡନୀରେ ରହିବେ ।
ସୂଚନାଯୋଗ୍ୟ, ଶ୍ରେୟସ ଶନିବାରଠୁ ଆଇସିୟୁରେ ଭର୍ତ୍ତି ଅଛନ୍ତି । ତାଙ୍କର ପଞ୍ଜରା ହାଡରେ ରକ୍ତସ୍ରାବ ହେଉଥିବା ରିପୋର୍ଟରୁ ଜଣା ପଡିଛି । ସ୍ଥିତି ଦେଖି ତାଙ୍କୁ ସାତ ଦିନ ଯାଏ ମେଡିକାଲରେ ରଖାଯିବ । କାରଣ ରକ୍ତସ୍ରାବରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥାଏ । ତୃତୀୟ ଦିନିକିଆରେ ପଛକୁ ଦୌଡି ଆଲେକ୍ସ କେରିଙ୍କ ଏକ ଚମତ୍କାର କ୍ୟାଚ୍ ଧରିଥିଲେ ଶ୍ରେୟସ ଆୟର । ଏହି ସମୟରେ ତାଙ୍କର ପଞ୍ଜରା ହାଡରେ ଆଘାତ ଲାଗିଥିଲା । ବିସିସିଆଇ ମେଡିକାଲ୍ ଟିମ୍ ତାଙ୍କ ଆଘାତର ଆକଳନ କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ତାଙ୍କୁ ସୁସ୍ଥ ହୋଇ ପଡ଼ିଆକୁ ଫେରିବାକୁ କିଛି ସପ୍ତାହ ସମୟ ଲାଗିବ । ତେଣୁ ଆସନ୍ତା ସାଉଥ ଆଫ୍ରିକା ବିପକ୍ଷ ଟୁର୍ଣ୍ଣାମେଣ୍ଟରୁ ସେ ବାଦ ପଡ଼ିପାରନ୍ତି । ସେ ବର୍ତ୍ତମାନ ଅଷ୍ଟ୍ରେଲିଆରେ କିଛି ଦିନ ରହିବେ । ସୁସ୍ଥ ହୋଇ ଭାରତ ଫେରିବା ପରେ ତାଙ୍କ ବେଙ୍ଗାଲୁରୁ ସେଣ୍ଟର୍ ଅଫ୍ ଏକ୍ସିଲେନ୍ସିକୁ ପଠାଯାଇପାରେ ।
Also read: ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳରେ ବଡ଼ ପରିବର୍ତ୍ତନ, ଖେଳିବେନି ଆଦାମ ଜାମ୍ପା