ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚବେଳେ ଆହତ ହୋଇଥିବା ଭାରତୀୟ ଟିମର ଉପ ଅଧିନାୟକ ଶ୍ରେୟସ ଆୟରଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଏକ ଗମ୍ଭୀର ସୂଚନା ଆସିଛି । କ୍ରିକେଟର୍ ଶ୍ରେୟସ ବର୍ତ୍ତମାନ ସିଡନୀରେ ଆଇସିୟୁରେ ଭର୍ତ୍ତି ଅଛନ୍ତି । ଶ୍ରେୟସଙ୍କର ରିବ୍ କେଜ୍ ଇଞ୍ଜ୍ୟୁରି (ପଞ୍ଜରା ହାଡ଼ରେ ଆଘାତ) ଯୋଗୁଁ ରକ୍ତସ୍ରାବ ହେଉଥିବା ଜଣାପଡ଼ିଛି । ତେଣୁ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ଯାଏଁ ତାଙ୍କୁ ମେଡ଼ିକାଲରୁ ଡିସଚାର୍ଜ କରାଯିବ ନାହିଁ । ବିସିସିଆଇ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଡାକ୍ତର ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି ।
କ୍ରିକ୍ ବୁଜର ରିପୋର୍ଟ ମୁତାବକ, ଶନିବାରଠାରୁ ଶ୍ରେୟସ ଆୟର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ସୁସ୍ଥ ହୋଇ ପଡ଼ିଆକୁ ଫେରିବାକୁ କିଛି ସପ୍ତାହ ସମୟ ଲାଗିବ । ତେଣୁ ଆସନ୍ତା ସାଉଥ ଆଫ୍ରିକା ବିପକ୍ଷ ଟୁର୍ଣ୍ଣାମେଣ୍ଟରୁ ସେ ବାଦ ପଡ଼ିପାରନ୍ତି । ସେ ବର୍ତ୍ତମାନ ଅଷ୍ଟ୍ରେଲିଆରେ କିଛି ଦିନ ରହିବେ । ସୁସ୍ଥ ହୋଇ ଭାରତ ଫେରିବା ପରେ ତାଙ୍କ ବେଙ୍ଗାଲୁରୁ ସେଣ୍ଟର୍ ଅଫ୍ ଏକ୍ସିଲେନ୍ସିକୁ ପଠାଯାଇପାରେ ।
ଗତ ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ମୁକାବିଲାରେ ଫିଲ୍ଡିଂ କରୁଥିବାବେଳେ ଶ୍ରେୟସ୍ ଆହତ ହୋଇଥିଲେ । ଆଲେକ୍ସ କେରେଙ୍କ ଏକ କଠିନ କ୍ୟାଚ୍ ଧରୁଥିବାବେଳେ ତାଙ୍କର ପଞ୍ଜରା ହାଡ଼ରେ ଆଘାତ ପାଇଥିଲେ । ପଡ଼ିଆରୁ ତାଙ୍କୁ ତୁରନ୍ତ ଗ୍ରୀନ ରୁମ୍ ନିଆଯିବା ପରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।