ନୂଆଦିଲ୍ଲୀ: ବରିଷ୍ଠ ବିଚାରପତି ସୂର୍ଯ୍ୟକାନ୍ତ ଦେଶର ସର୍ବୋଚ୍ଚ ଅଦାଲତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ସୋମବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭୂଷଣ ଆର ଗବାଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନାମକୁ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀଭାବେ ସୁପାରିଶ କରିଛନ୍ତି ।
ଆସନ୍ତା ନଭେମ୍ବର ୨୩ରେ ସିଜେଆଇ ଗବାଇଙ୍କ କାର୍ଯ୍ୟକାଳ ଶେଷ ହେବ । ମେ, ୨୦୨୫ରେ ପ୍ରଧାନ ବିଚାରପତି ପଦ ଅଳଙ୍କୃତ କରିଥିଲେ । ସେ ଆଜି ସୁପାରିଶ ପତ୍ରର ଏକ କପି ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ହସ୍ତାନ୍ତର କରିଛନ୍ତି । ଯଦି ରାଷ୍ଟ୍ରପତି ସିଜେଆଇ ଜଷ୍ଟିସ୍ ଗବାଇଙ୍କ ସୁପାରିଶକୁ ଅନୁମୋଦନ କରନ୍ତି ତେବେ ନ୍ୟାୟମୂର୍ତ୍ତୀ ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ।
୨୪ ମେ, ୨୦୧୯ରେ ବିଚାରପତି ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୨୭ ଫେବୃଆରୀ ୯ରେ ସେ ଅବସର ଗ୍ରହଣ କରିବେ । ତେଣୁ ଏକ ବର୍ଷ ଦୁଇ ମାସ ପାଇଁ ସେ ପ୍ରଧାନ ବିଚାରପତି ଦାୟିତ୍ୱ ତୁଲାଇବେ । ଏହା ସହିତ ପ୍ରଥମ ଥର ପାଇଁ ହରିୟାଣାର ବାସିନ୍ଦାଭାବେ ପ୍ରଧାନ ବିଚାରପତି ହେବାର ଗୌରବ ଅର୍ଜନ କରିବେ ।
ବିଚାରପତି ସୂର୍ଯ୍ୟକାନ୍ତଙ୍କ ଯୋଗ୍ୟତା-
ହରିୟାଣାରୁ ଆସିଥିବା ବିଚାରପତି ସୂର୍ଯ୍ୟକାନ୍ତ ୧୯୮୧ ମସିହାରେ ହିସାରର ସରକାରୀ ପୋଷ୍ଟ ଗ୍ରାଜୁଏଟ୍ କଲେଜରୁ ସ୍ନାତକ ହାସଲ କରିଥିଲେ । ସେ ୧୯୮୪ ମସିହାରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ହିସାର ଜିଲ୍ଲା କୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ । ୧୯୮୫ ମସିହାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଅଭ୍ୟାସ କରିଥିଲେ ।
ଏହା ପରେ ମାର୍ଚ୍ଚ ୨୦୦୧, ରେ ବରିଷ୍ଠ ଓକିଲ ଭାବରେ ମନୋନୀତ କରାଯାଇଥିଲା । ଏହା ସହିତ ସେ ହରିୟାଣାର ଆଡଭୋକେଟ୍ ଜେନେରାଲ ଭାବେ ନିଯୁକ୍ତ ହୋଇଥିଲେ । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ୭ ଜୁଲାଇ ୨୦୦୦ ରେ ହରିୟାଣାର ସର୍ବକନିଷ୍ଠ ଆଡଭୋକେଟ୍ ଜେନେରାଲ ଭାବରେ ନିଯୁକ୍ତ ହେବାର ଗୌରବ ଅର୍ଜନ କରିଥିଲେ । ଜାନୁଆରୀ ୯, ୨୦୦୪ରେ ସୂର୍ଯ୍ୟକାନ୍ତ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ପଦୋନ୍ନତି ପାଇଥିଲେ ।
ଫେବୃଆରୀ ୨୩, ୨୦୦୭ରେ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ଜାତୀୟ ଆଇନ ସେବା ପ୍ରାଧିକରଣର ପରିଚାଳନା ପରିଷଦର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ଫେବୃଆରୀ ୨୨, ୨୦୧୧ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା। ସେହିପରି ଅକ୍ଟୋବର ୫, ୨୦୧୮ରେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ ଗ୍ରହଣ କରିଥିଲେ ଏବଂ ମେ ୨୪, ୨୦୧୯ରେ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଥିଲେ । ସେ ବର୍ତ୍ତମାନ ସୁପ୍ରିମକୋର୍ଟ ଆଇନ ସେବା କମିଟିର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।